ମନ୍ତ୍ରୀଙ୍କ ସହିତ ୨ ବିଦେଶୀ ନାଗରିକଙ୍କ ଅପହରଣ କଲେ ପାକିସ୍ତାନୀ ଆତଙ୍କବାଦୀ…

ଇସଲାମାବାଦ,୮।୧୦ : ଆତଙ୍କବାଦୀମାନେ ପାକିସ୍ତାନର ଖାଇବର ପସ୍ତୁନଖ୍ବାକୁ ଗିଲଗିଟ-ବଲ୍ଟିସ୍ତାନ ସହ ସଂଯୋଗ କରୁଥିବା ରାଜପଥକୁ ଅବରୋଧ କରି ଜେଲରେ ଥିବା ସାଥୀମାନଙ୍କୁ ମୁକ୍ତ କରିବାକୁ ଦାବି କରିଛନ୍ତି। ସେମାନେ ଜଣେ ବରିଷ୍ଠ ମନ୍ତ୍ରୀ ବାଗ ହୁଞ୍ଜା ଏବଂ ସେଠାରେ ଫସି ରହିଥିବା ଦୁଇ ଜଣ ବିଦେଶୀ ନାଗରିକଙ୍କୁ ଅପହରଣ କରି ନେଇଛନ୍ତିା। ବାଗ ହୁଞ୍ଜା ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇର ଜଣେ ବିଧାୟକ। ଏଥିସହ ସମସ୍ତଙ୍କୁ ମୁକ୍ତ କରିବା ପାଇଁ ଅପହରଣକାରୀଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ ଚାଲିଛି।

ପାକିସ୍ତାନୀ ଗଣମାଧ୍ୟମ କହିଛି ଯେ ଜିବିର ବହୁ ଚର୍ଚ୍ଚିତ ଆତଙ୍କବାଦୀ କମାଣ୍ଡର ହବିବୁର ରହମାନ ଦଳର ଆତଙ୍କବାଦୀମାନେ ଡାଇମେରର ଚିଲାସର ଠାକ ଗାଁରେ ରାସ୍ତା ଅବରୋଧ କରିଛନ୍ତି। ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ଯାତ୍ରୀମାନେ ଉଭୟ ପାର୍ଶ୍ୱରେ ଅଟକି ରହିଛନ୍ତି। ହବିବୁର ରହମାନ ନଙ୍ଗା ପର୍ବତରେ ୧୦ ଜଣ ବିଦେଶୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂତ୍ରରୁ ପ୍ରକାଶ ଯେ ଯେଉଁ ଆତଙ୍କବାଦୀଙ୍କ ମୁକ୍ତି ଦାବି ହେଉଛି ସେମାନେ ବିଦେଶୀଙ୍କ ହତ୍ୟାରେ ସମ୍ପୃକ୍ତ ଅଛନ୍ତି।

ଏଥିସହିତ ସୋସିଆଲ ମିଡିଆରେ ଜିବିର ବରିଷ୍ଠ ମନ୍ତ୍ରୀ ଅବଦୁଲ୍ଲା ବୈଗଙ୍କ ଏକ ଅଡିଓ ମଧ୍ୟ ସାମ୍ନାକୁ ଆସିଛି। ଅଡିଓରେ ଶୁଣିବାକୁ ମିଳୁଛି ଯେ ସେ ଇସଲାମାବାଦରୁ ଗିଲଗିଟ ଯାଉଛନ୍ତି। କିନ୍ତୁ ଆତଙ୍କବାଦୀମାନେ ସେମାନଙ୍କ ସହଯୋଗୀଙ୍କୁ ଜେଲରୁ ମୁକ୍ତ କରିବାକୁ ଦାବି କରି ରାଜରାସ୍ତାକୁ ଅବରୋଧ କରିଥିଲେ। ତେବେ କିଛି ସମୟ ପରେ ଯେତେବେଳେ ମନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା, ସେତେବେଳେ ତାଙ୍କ ମୋବାଇଲ ଫୋନ ବନ୍ଦ ହୋଇଯାଇଥିଲା। ବର୍ତ୍ତମାନ ଅପହରଣକାରୀଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ ଚାଲିଛି।

୨୦୧୩ ରେ, ଏହି ବନ୍ଧୁକଧାରୀମାନେ ଗିଲଗିଟ-ବଲ୍ଟିସ୍ତାନର ନଙ୍ଗା ପାର୍ବତକୁ ଯାଉଥିବା ପର୍ବତାରୋହୀଙ୍କୁ ଟାର୍ଗେଟ କରିଥିଲେ। ବନ୍ଧୁକଧାରୀମାନେ ଚାଇନା, ୟୁକ୍ରେନ ଏବଂ ରୁଷିଆର ନାଗରିକଙ୍କ ସମେତ ପାକିସ୍ତାନୀ ଗାଇଡଙ୍କୁ ହତ୍ୟା କରିଥିଲେ।

Share