Categories: ଜାତୀୟ

ଆଧାର ନମ୍ବର ଅପବ୍ୟବହାର କରୁଛନ୍ତି ପାକ୍‌ ଆତଙ୍କବାଦୀ

ଶ୍ରୀନଗର,୧୯।୪: ପାକିସ୍ତାନୀ ଆତଙ୍କବାଦୀମାନେ ନିଜ ପରିଚୟ ଲୁଚାଇବାକୁ ଆଧାର ନମ୍ବରର ଅପବ୍ୟବହାର କରୁଥିବା ଜମ୍ମୁ-କଶ୍ମୀର ପୋଲିସ ଜାଣିବାକୁ ପାଇଛି। ଏନେଇ ବାୟୋମେଟ୍ରିକ ପରିଚୟପତ୍ରର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ଲାଗି ପୋଲିସ ଭାରତର ବିଶିଷ୍ଟ ପରିଚୟ କର୍ତ୍ତୃପକ୍ଷ (ୟୁଆଇଡିଏଆଇ)ଙ୍କୁ ଅନୁରୋଧ କରିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଆତଙ୍କବାଦୀଙ୍କ ଦ୍ୱାରା ଅପବ୍ୟବହୃତ ଆଧାର କାର୍ଡ ପ୍ରସ୍ତୁତ ସମୟର ତଥ୍ୟ ଜାଣିବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବାକୁ ଅନୁରୋଧ କରାଯିବ। ନିକଟରେ ଶ୍ରୀନଗରରରେ ଦୁଇ ପାକିସ୍ତାନୀ ଆତଙ୍କବାଦୀ ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ହେବା ପରେ ସେମାନେ ଆଧାର କାର୍ଡର ଅପବ୍ୟବହାର କରୁଥିବା ଜଣାପଡ଼ିଥିଲା। ଏନ୍‌କାଉଣ୍ଟର ସ୍ଥଳରୁ ଦୁଇଟି ଆଧାର କାର୍ଡ ମିଳିଥିଲା ଯେଉଁଥିରେ କଶ୍ମୀର ଠିକଣା ରହିଛି। କାର୍ଡର ନମ୍ବର ଅସଲି ହୋଇଥିବାବେଳେ ସେଥିରେ ଜାଲିଆତି କରି ଆତଙ୍କବାଦୀଙ୍କ ଫଟୋ ଛାପାଯାଇଥିଲା। ଉକ୍ତ ଆତଙ୍କବାଦୀ ମହମ୍ମଦ ଭାଇ ଓରଫ ଅବୁ କାସିମ ଏବଂ ଅବୁ ଅର୍ସଲାନ ଓରଫ ଖଲିଦ ଦୀର୍ଘଦିନ ହେଲା କଶ୍ମୀର ଉପତ୍ୟକାରେ ସକ୍ରିୟ ଥିଲେ।

Share