
ନୂଆଦିଲ୍ଲୀ,୨୩।୩: ପାକିସ୍ତାନରେ ମଧ୍ୟ ଲୋକମାନେ ସାଟେଲାଇଟ ନେଟୱାର୍କ ବ୍ୟବହାର କରିପାରିବେ। ଏନେଇ ବଡ଼ ନିଷ୍ପତ୍ତି ନେଇପାରନ୍ତି ଏଲନ ମସ୍କ। ଏଲନ ମସ୍କଙ୍କ ଷ୍ଟାରଲିଙ୍କ ସେବା ପଡୋଶୀ ପାକିସ୍ତାନରେ ଆରମ୍ଭ ହୋଇପାରେ। ପାକିସ୍ତାନ ସରକାର ମସ୍କଙ୍କ କମ୍ପାନୀକୁ ଅସ୍ଥାୟୀ ଏନଓସି ଦେଇଛନ୍ତି ଯାହା ସାଟେଲାଇଟ ଇଣ୍ଟରନେଟ ପ୍ରଦାନ କରେ। ପାକିସ୍ତାନର ଆଇଟି ମନ୍ତ୍ରୀ ଶାଜା ଫାତିମାଙ୍କ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ନିର୍ଦ୍ଦେଶରେ ଷ୍ଟାରଲିଙ୍କକୁ ଅସ୍ଥାୟୀ ପଞ୍ଜିକରଣ ଦିଆଯାଇଛି। ଏହି ପଦକ୍ଷେପ ପାକିସ୍ତାନରେ ସାଟେଲାଇଟ ନେଟୱାର୍କର ପ୍ରବେଶ ପାଇଁ ଦ୍ୱାର ଖୋଲି ଦେଇଛି।
ଫାତିମାଙ୍କ ଅନୁଯାୟୀ, ସମସ୍ତ ସୁରକ୍ଷା ଏବଂ ନିୟାମକ ଏଜେନ୍ସିର ଅନୁମୋଦନ ପରେ ସରକାର ଷ୍ଟାରଲିଙ୍କକୁ ଅସ୍ଥାୟୀ ଏନଓସି ଦେଇଛନ୍ତି। ପାକିସ୍ତାନରେ ଆନୁଷ୍ଠାନିକ ଭାବରେ ସାଟେଲାଇଟ ଇଣ୍ଟରନେଟ ସେବା ଆରମ୍ଭ ହେବ। ଏହା ପଡ଼ୋଶୀ ଦେଶରେ ଇଣ୍ଟରନେଟ ସେବା ଏବଂ ଆଇଟି ଭିତ୍ତିଭୂମିକୁ ଉନ୍ନତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ପ୍ରମାଣିତ ହୋଇପାରେ। ମସ୍କ ଗତ ବର୍ଷ ପାକିସ୍ତାନରେ ତାଙ୍କର ସେବା ଆରମ୍ଭ କରିବା ପାଇଁ ଆବେଦନ କରିଥିଲେ। ଏହା ଦୀର୍ଘ ସମୟ ଧରି ଅନୁମୋଦନ ପାଇଁ ଅପେକ୍ଷା କରିଥିଲା।
ରିପୋର୍ଟ ଅନୁଯାୟୀ, ପାକିସ୍ତାନରେ ଷ୍ଟାରଲିଙ୍କ ପ୍ଲାନର ସମ୍ଭାବ୍ୟ ମୂଲ୍ୟ (ଘରୋଇ) ପ୍ରତି ମାସରେ ପ୍ରାୟ 6,800-28,000 ପାକିସ୍ତାନୀ ଟଙ୍କା ହୋଇପାରେ। ଏହି ଯୋଜନାରେ ଉପଭୋକ୍ତାମାନେ 50-250Mbps ସ୍ପିଡ ପାଇପାରିବେ। ଏହା ବ୍ୟତୀତ, ଷ୍ଟାରଲିଙ୍କ ସେବା ପାଇବା ପାଇଁ ହାର୍ଡୱେୟାର ମୂଲ୍ୟ 97,000 ପାକିସ୍ତାନୀ ଟଙ୍କା (ଭାରତରେ ପ୍ରାୟ 30,000 ଟଙ୍କା) ହୋଇପାରେ।
ପାକିସ୍ତାନରେ ବାଣିଜି୍ୟକ ବ୍ୟବହାର ପାଇଁ ଷ୍ଟାରଲିଙ୍କ ସେବା ମହଙ୍ଗା ହୋଇପାରେ। ୧୦୦-୫୦୦ Mbps ସ୍ପିଡ ପାଇଁ, ମାସିକ ଖର୍ଚ୍ଚ ପ୍ରାୟ ୮୦,୦୦୦-୯୫,୦୦୦ ପାକିସ୍ତାନୀ ଟଙ୍କା ହୋଇପାରେ। ବାଣିଜ୍ୟିକ ବ୍ୟବହାରକାରୀଙ୍କ ପାଇଁ ସଂସ୍ଥାପନ ଖର୍ଚ୍ଚ ମଧ୍ୟ ଅଧିକ ହେବ। ବାଣିଜ୍ୟିକ ବ୍ୟବହାରକାରୀମାନଙ୍କୁ ସଂସ୍ଥାପନ ପାଇଁ ପ୍ରାୟ 2.20 ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିପାରେ। ତଥାପି, ମୂଲ୍ୟ ସମ୍ପର୍କରେ କମ୍ପାନୀ ପକ୍ଷରୁ କୌଣସି ଆନୁଷ୍ଠାନିକ ବିବରଣୀ ପ୍ରକାଶ କରାଯାଇ ନାହିଁ। ଯଦି ପାକିସ୍ତାନରେ ସାଟେଲାଇଟ ନେଟୱାର୍କ ଆରମ୍ଭ ହୁଏ, ତେବେ ସେଠାକାର ଲୋକମାନେ ବହୁତ ଉପକୃତ ହେବେ।