ପାକିସ୍ତାନର ଷଡ଼ଯନ୍ତ୍ର ପଣ୍ଡ : ବିସଏଫ ଦ୍ୱାରା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ…

ଚଣ୍ଡିଗଡ଼,୨୯।୧୧ : ପଞ୍ଜାବରେ ପାକିସ୍ତାନର ଷଡଯନ୍ତ୍ରକୁ ସୀମା ସୁରକ୍ଷା ବଳ (ବିଏସଏଫ) କର୍ମଚାରୀମାନେ ଲଗାତାର ପଣ୍ଡ କରୁଛନ୍ତି। ସମ୍ପ୍ରତି ଅମୃତସର ପୋଲିସ ଏବଂ ବିଏସଏଫ ପଞ୍ଜାବର ଫିରୋଜପୁରର ଡୋନା ତେଲୁମାଲ ଆଉଟପୋଷ୍ଟ ନିକଟସ୍ଥ ଅନ୍ତର୍ଜାତୀୟ ସୀମାରୁ ପାଞ୍ଚଟି ରାଇଫଲ, ପାଞ୍ଚଟି ପିସ୍ତଲ ଏବଂ ନଅ ମାଗାଜିନ୍‌ ଉଦ୍ଧାର କରିଛନ୍ତି।

ଏହି ସମସ୍ତ ସାମଗ୍ରୀ ଏକ ବ୍ୟାଗରେ ଭର୍ତ୍ତି ହୋଇ ରହିଥିଲା। ଏହାକୁ ପାକିସ୍ତାନୀ ଚୋରା ଚାଲାଣକାରୀମାନେ ଲୁଚାଇ ରଖିଥିଲେ। ସୂଚନାଯୋଗ୍ୟ ଯେ ଏସଟିଏଫ ଅମୃତସରରୁ ଆଠଟି ପିସ୍ତଲ, ୧୪ ଟି ମାଗାଜିନ ଏବଂ 63 ଟି କାର୍ଟ୍ରିଜ ନେଇ ଜଣେ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି। ଫିରୋଜପୁରରୁ ଏହି ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି।

ଗୁପ୍ତ ସୂତ୍ର ଅନୁଯାୟୀ ଅମୃତସର ପୋଲିସ ଚୋରା ଚାଲାଣକାରୀ ପରମଜଜିତଙ୍କୁ ଅସ୍ତ୍ରଶସ୍ତ୍ର ଏବଂ ହିରୋଇନ ସହିତ ଗିରଫ କରିଛି। ପଚରାଉଚରା ବେଳେ ସେ କହିଥିଲେ ଯେ ବିଏସଏଫର ଡୋନା ଟେଲୁମାଲ ଆଉଟପୋଷ୍ଟ ନିକଟରେ ସୀମାନ୍ତ ବାଡ଼ର ଗେଟ ନମ୍ବର ୧୯୫ ନିକଟରେ ଅସ୍ତ୍ରଶସ୍ତ୍ର ଭର୍ତ୍ତି ଏକ ବ୍ୟାଗ ଲୁଚାଇ ରଖାଯାଇଛି। ମଙ୍ଗଳବାର ପୋଲିସ ବିଏସଏଫ ବାଟାଲିୟନ-୧୩୬ ସହିତ ବଡର ପୋର୍ଷ୍ଟରେ ଥିବା ଫାର୍ମରୁ ଅସ୍ତ୍ରଶସ୍ତ୍ର ଭର୍ତ୍ତି ଏକ ବ୍ୟାଗ ଉଦ୍ଧାର କରିଛି।

ବ୍ୟାଗରୁ ପାଞ୍ଚଟି ଆକ୍ରମଣକାରୀ ରାଇଫଲ, ପାଞ୍ଚଟି ପିସ୍ତଲ ଏବଂ ନଅ ମାଗାଜିନ ଉଦ୍ଧାର କରାଯାଇଛି। ଅମୃତସର ପୋଲିସ ଉକ୍ତ ଅସ୍ତ୍ରକୁ ସାଙ୍ଗରେ ନେଇଛି। ଶୀତ ଆରମ୍ଭ ହେବା ସହିତ ଘନ କୁହୁଡି ଆରମ୍ଭ ହୋଇଯାଇଛି। କୁହୁଡ଼ି ଯୋଗୁ ସୀମାପାର ଚୋରା ଚାଲାଣକାରୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ବିଏସଏଫ୍‌ କହିଛି।

Share