ଦୋହା,୧୭।୩: ଲିଜେଣ୍ଡ୍ସ ଲିଗ କ୍ରିକେଟ ଟୁର୍ନାମେଣ୍ଟରେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତରଙ୍କ ଏକ ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସେ କହିଛନ୍ତି ଯେ, ବେଳେବେଳେ ସେ ଭାରତକୁ ବହୁତ ମିସ କରନ୍ତି ଏବଂ ତାଙ୍କର ଆଧାର କାର୍ଡ ମଧ୍ୟ ତିଆରି କରାଯାଇଛି। ବର୍ତ୍ତମାନ ତାଙ୍କୁ ଭାରତୀୟ ବୋଲି ପ୍ରମାଣ କରିବାକୁ ଆଉ କିଛି ବାକି ନାହିଁ।
କତାରର ରାଜଧାନୀ ଦୋହାରେ ଲିଜେଣ୍ଡ୍ସ ଲିଗ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜିତ ହେଉଛି। ଏଥିରେ ପୂର୍ବତନ କ୍ରିକେଟ ଭେଟେରାନଙ୍କ ତିନିଟି ଦଳ ଅଂଶଗ୍ରହଣ କରୁଛନ୍ତି। ଏଥିମଧ୍ୟରେ ପୂର୍ବତନ ଭାରତୀୟ କ୍ରିକେଟରଙ୍କୁ ନେଇ ଗଠିତ ଇଣ୍ଡିଆ ମହାରାଜା, ଏସିଆର ଅନ୍ୟ ଦେଶ ତଥା କ୍ରିକେଟରଙ୍କ ଦ୍ୱାରା ସୁସଜ୍ଜିତ ହୋଇଥିବା ଏସିଆ ଲାୟନ୍ସ ଦଳ, ଏସିଆର ବାହ୍ୟ କ୍ରିକେଟରଙ୍କ ଦ୍ୱାରା ଗଠିତ ଓ୍ବାଲର୍ଡ ଜଏଣ୍ଟସ୍ସାମିଲ ଅଛି।
ଏସିଆ ଲାୟନ୍ସ ଏବଂ ଇଣ୍ଡିଆ ମହାରାଜ ମଧ୍ୟରେ ଏକ ମ୍ୟାଚ ଖେଳାଯାଇଥିଲା। ଶୋଏବ ଅଖତର ଏସିଆ ଦଳରେ ସାମିଲ ଅଛନ୍ତି।
ମ୍ୟାଚ ପରେ ଶୋଏବ ଅଖତର କହିଛନ୍ତି, ମୁଁ ଭାରତକୁ ବହୁତ ପସନ୍ଦ କରେ। ମୁଁ ଦିଲ୍ଲୀ ଯିବାଆସିବା କରୁଛି। ମୋର ଆଧାର କାର୍ଡ ମଧ୍ୟ ତିଆରି ହୋଇଛି। ଜଣେ ଭାରତୀୟ ଭାବେ ପରିଚୟ ଦେବାକୁ ଆଉ କିଛି ବାକି ନାହିଁ। ମୁଁ ଚାହୁଁଛି ଚଳିତ ବର୍ଷର ଏସିଆ କପ କେବଳ ପାକିସ୍ତାନରେ ଅନୁଷ୍ଠିତ ହେଉ। ଏହାର ଅନ୍ତିମ ମ୍ୟାଚ ମଧ୍ୟ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଉ। ମୁଁ ପ୍ରକୃତରେ ଭାରତରେ ଖେଳିବାକୁ ମିସ କରେ। ଭାରତ ମୋତେ ବହୁତ ଭଲପାଇବା ଦେଇଛି। ଯଦି ପାକିସ୍ତାନରେ ଏସିଆ କପ ଅନୁଷ୍ଠିତ ହୁଏ ନାହିଁ ତେବେ ଶୋଏବ ବିକଳ୍ପ ଦେଶ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଶୋଏବ ଅଖତର କହିଛନ୍ତି, ପାକିସ୍ତାନ କିମ୍ବା ଶ୍ରୀଲଙ୍କାରେ ଏସିଆ କପ ଅନୁଷ୍ଠିତ ହେବା ଉଚିତ୍।
ଏସିଆ ଲାୟନ୍ସ ଏବଂ ଇଣ୍ଡିଆ ମହାରାଜ ମଧ୍ୟରେ ହୋଇଥିବା ମ୍ୟାଚରେ ଅଖତରଙ୍କୁ କେବଳ ଗୋଟିଏ ଓଭରରେ ବୋଲିଂ କରିବାକୁ ପଡିଥିଲା। ଏହି ମ୍ୟାଚକୁ ଭାରତ ୧୦ ଉଇକେଟରେ ଜିତି ନେଇଛି।