ପୁଣି ଖୋଲିଲା ପାକିସ୍ତାନର ଅସଲ ମୁଖା

ଇସଲାମାବାଦ୍‌,୨୯।୬: ପାକିସ୍ତାନର ପୁଣି ଥରେ ପୋଲ୍‌ ଖୋଲିଛି। ଏଥର ଦେଶର ଗୃହମନ୍ତ୍ରୀ ଶେଖ ରସିଦ ଅହମ୍ମଦ ତାଙ୍କ ଦେଶର ପୋଲ୍‌ ଖୋଲିଛନ୍ତି। ରସିଦ ସ୍ବୀକାର କରିଛନ୍ତି ଯେ ଆଫଗାନିସ୍ତାନର ତାଲିବାନ ଆତଙ୍କବାଦୀଙ୍କ ପରିବାର ରାଜଧାନୀ ଇସଲାମାବାଦ ରୁହନ୍ତି। କେବଳ ଏତିକି ନୁହେଁ, ତାଲିବାନଙ୍କୁ ପାକିସ୍ତାନୀ ଡାକ୍ତରଖାନାରେ ଚିକିତ୍ସିତ କରାଯାଉଛି। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟରୁ ଏହି ସୂଚନା ମିଳିଛି। ଶେଖ ରସିଦ ଅହମ୍ମଦଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଗୃହଯୁଦ୍ଧ ସହ ଲଢୁଥିବା ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର କରିବାର ସମୟ ଅତି ନିକଟତର ହୋଇଛି। ତାଲିବାନ ଆକ୍ରମଣ ହେତୁ ଗତ କିଛି ସପ୍ତାହ ମଧ୍ୟରେ ଆଫଗାନିସ୍ତାନରେ ହିଂସା ବୃଦ୍ଧି ପାଇଛି। ତାଲିବାନ ବିଦ୍ରୋହୀ କାର୍ଯ୍ୟକଳାପ ପାକିସ୍ତାନୀରେ ସହଯୋଗରେ ବଢୁଛି ବୋଲି ଆଫଗାନିସ୍ତାନ ନେତାଙ୍କ ଅଭିଯୋଗ କରିଥିଲେ। ଏହାକୁ କ୍ରମାଗତ ଭାବେ ଅସ୍ବୀକାର କରିଥିଲା ପାକିସ୍ତାନ।
ପାକିସ୍ତାନୀ ଟିଭି ନ୍ୟୁଜ ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ଶେଖ ରସିଦ କହିଛନ୍ତି ଯେ, ତାଲିବାନ ପରିବାର ପାକିସ୍ତାନରେ ରୁହନ୍ତି। ସେ କହିଛନ୍ତି ଯେ ତାଲିବାନ ଆତଙ୍କବାଦୀଙ୍କ ପରିବାର ପାକିସ୍ତାନର ରୱାତ, ଲୋଇ ବେର୍‌, ବାରା କାହୁ ଏବଂ ତାରନୋଲ ଭଳି ଅଞ୍ଚଳରେ ବାସ କରନ୍ତି। ଏହି କ୍ଷେତ୍ରଗୁଡ଼ିକ ହେଉଛି ଇସଲାମାବାଦର ଫାସାମ ଅଞ୍ଚଳ। ପୂର୍ବରୁ ପାକିସ୍ତାନ ତାଲିବାନକୁ ସାହାଯ୍ୟ କରିବା ସହ ଏହାକୁ ନିଜର ସ୍ବାର୍ଥରେ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି, ଯାହାକୁ ଅସ୍ବୀକାର କରିଆସୁଛି ପାକିସ୍ଥାନ। କିନ୍ତୁ ଶେଖ୍‌ଙ୍କ ମନ୍ତବ୍ୟ ଦେଶର ଅସଲ ମୁଖା ଖୋଲି ଦେଇଛି।

Share