ଲାହୋର, ୨୮ା୨: ଆଇସିସି ଚାମ୍ପିୟନ୍ସ ଟ୍ରଫିରୁ ପାକିସ୍ତାନ ଦଳର ଲଜ୍ଜାଜନକ ପରାଜୟ ପରେ ଦଳର କେତେଜଣ ସିନିୟର ଖେଳାଳି ଆସନ୍ତା ମାସରେ ହେବାକୁଥିବା ନ୍ୟୁଜିଲାଣ୍ଡ ଟୁର୍ରୁ ଓହରି ଯାଇପାରନ୍ତି। ଆୟୋଜକ ପାକିସ୍ତାନ ଇଭେଣ୍ଟରେ ଗୋଟିଏ ହେଲେ ମ୍ୟାଚ ଜିତିପାରି ନାହିଁ। ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ଏହାର ପ୍ରଥମ ମ୍ୟାଚ୍ ୬୦ ରନ୍ରେ ପରାଜିତ ହୋଇଥିଲା। ପରେ ଦୁବାଇରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତଠାରୁ ଦଳ ୬ ଉଇକେଟରେ ପରାଜିତ ହୋଇଥିଲା।
ଗୁରୁବାର ରାଓ୍ବଲପିଣ୍ଡିରେ ବାଂଲାଦେଶ ବିପକ୍ଷ ମ୍ୟାଚ୍ ବର୍ଷା କାରଣରୁ ବାତିଲ ହୋଇଯାଇଥିଲା। ପାକିସ୍ତାନ ମାର୍ଚ୍ଚ ୧୬ରୁ ଏପ୍ରିଲ ୫ ହ୍ବାଇଟ୍ ବଲ ଟୁର୍ରେ ନ୍ୟୁଜିଲାଣ୍ଡ ଯାଇ ସେଠାରେ ୫ ଅନ୍ତର୍ଜାତୀୟ ଟି୨୦ ଏବଂ ୩ ଅନ୍ତର୍ଜାତୀୟ ଦିନିକିଆ ଖେଳିବ।
ମିଳିଥିବା ସୂଚନା ମୁତାବକ, ବାବର ଆଜାମ, ଶାହିନ ଶାହା ଆଫ୍ରିଦୀ, ନସିମ ଶାହା ପ୍ରମୁଖ ଏହି ଟୁର୍ରୁ ଓହରିଯିବା ଲାଗି ବିଚାର କରୁଥିବା ଜଣାପଡିଛି। ତେବେ ସେମାନେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସେମାନଙ୍କ ଏଜେଣ୍ଟଙ୍କ ସହିତ ପରାମର୍ଶ ନେଇପାରନ୍ତି।
ଏପରିକି ମହମ୍ମଦ ରିଜଓ୍ବାନଙ୍କ ଭବିଷ୍ୟତକୁ ନେଇ ମଧ୍ୟ ଅନିଶ୍ଚିତତା ଦେଖା ଦେଇଛି। ଚଳିତବର୍ଷ ପରବର୍ତ୍ତୀ ଭାଗରେ ହେବାକୁଥିବା ଏସିଆ କପ୍ ଏବଂ ଆସନ୍ତାବର୍ଷ ଭାରତ ଓ ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍ ପାଇଁ ଦଳ ପୁନର୍ଗଠନ ଲାଗି ଚୟନକର୍ତ୍ତାମାନେ ଚେୟାରମ୍ୟାନଙ୍କୁ ସୁପାରିସ କରିପାରନ୍ତି।


