ମନ୍ଦିର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଲେ ପାକିସ୍ତାନର ସୁପ୍ରିମ କୋର୍ଟ

ଇସଲାମାବାଦ,୫ା୧- ପାକିସ୍ତାନର ଖାଇବର ପାଖତୁନଖ୍ବା ପ୍ରଦେଶରେ ଏକ ହିନ୍ଦୁ ମନ୍ଦିରକୁ ଭାଙ୍ଗିବା ସହ ନିଆଁ ଲଗାଇ ଦେଇଥିଲା ଏକ ମୁସଲମାନ ଗୋଷ୍ଠୀ। ଏହାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନକୁ ଲଜ୍ଜିତ କରିଛି ଏହି ଘଟଣା। ଉକ୍ତ ମନ୍ଦିରର ପୁନଃ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ। ଏ ନେଇ ଦୈନିକ ଖବରକାଗଜ ‘ଡନ’ରେ ପ୍ରକାଶ ପାଇଛି ଏକ ରିପୋର୍ଟ।

ଖାଇବର ପାଖତୁନଖ୍ବ ପ୍ରଦେଶର କରାକ ଜିଲାର ତେରି ଗ୍ରାମରେ ଥିବା ୧୦୦ ବର୍ଷରୁ ଅଧିକ ପୁରୁଣା ହିନ୍ଦୁ ଧର୍ମଗୁରୁଙ୍କ ସମାଧି ପିଠ ଉପରେ ଡିସେମ୍ବର ୩୦ ତାରିଖରେ ଆକ୍ରମଣ କରିଥିଲା ଏକ ମୁସଲମାନ ଗୋଷ୍ଠୀ। ସ୍ଥାନୀୟ ମୁସଲମାନ ଧର୍ମଗୁରୁଙ୍କ ପ୍ରରୋଚନାରେ ଆକ୍ରମଣକାରୀମାନେ ମନ୍ଦିରର ପୁରୁଣା ଓ ନୂଆ ଢ଼ାଞ୍ଚା ଭାଙ୍ଗିବା ସହ ହିନ୍ଦୁ ଦେବାଦେବୀଙ୍କୁ ଅସମ୍ମାନିତ କରିଥିଲେ।

ଇଭାକ୍ୟୁ ପ୍ରପର୍ଟି ଟ୍ରଷ୍ଟ ବୋର୍ଡ (ଇଟିବିପି)କୁ ଉକ୍ତ ମନ୍ଦିରର ପୁନଃ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ଆଉ ପୂରା ଦେଶରେ ଥିବା ସମସ୍ତ କାର୍ଯ୍ୟକ୍ଷମ ମନ୍ଦିର ଓ ଅକ୍ଷମ ମନ୍ଦିର ଏବଂ ଗୁରୁଦ୍ୱାରା ସମ୍ପର୍କିତ ତଥ୍ୟ ଦାଖଲ କରିବାକୁ ମଧ୍ୟ କହିଛନ୍ତି। ଉଲ୍ଲେଖଥାଉ କି, ଇଟିବିପି ହେଉଛି ପାକିସ୍ତାନ ସରକାରଙ୍କ ଏକ ବିଧିଗତ ବୋର୍ଡ । ବିଭାଜନ ପରେ ପାକିସ୍ତାନରୁ ଭାରତକୁ ଯାଇଥିବା ହିନ୍ଦୁ ଏବଂ ଶିଖ ଛାଡିଥିବା ସମ୍ପତ୍ତି ପରିଚାଳନା କରିଥାଏ।

Share