Categories: ଜାତୀୟ

ଡ୍ରୋନ୍‌ ଦ୍ୱାରା ପାକିସ୍ତାନ ପକାଇଥିବା ଅସ୍ତ୍ର ଜବତ

ନୂଆଦିଲ୍ଲୀ,୧୪।୫: ପାକିସ୍ତାନୀ ଡ୍ରୋନ୍‌ ଦ୍ୱାରା ଜମ୍ମୁ-କଶ୍ମୀରର ସାମ୍ବା ଜିଲା ସୀମାନ୍ତ ଅଞ୍ଚଳରେ ପକାଇଥିବା ଏକେ-୪୭ ରାଇଫଲ, ପିସ୍ତଲ ଏବଂ ଗୁଳିଗୋଳାକୁ ଶୁକ୍ରବାର ବିଏସ୍‌ଏଫ୍‌ ଜବତ କରିଛି। ଏହି ଅସ୍ତ୍ରଗୁଡ଼ିକ ଏକ ହଳଦିଆ ରଙ୍ଗର ପଲିଥିନ୍‌ରେ ଗୁଡ଼ାହୋଇ ପଡ଼ିଥିଲା। ଅସ୍ତ୍ର ପକାଇବା ପରେ ଡ୍ରୋନ୍‌ଟି ପାକିସ୍ତାନକୁ ଫେରିଯାଇଥିବା ସନ୍ଦେହ କରାଯାଉଛି। ପୂର୍ବରୁ ସାମ୍ବା, କଠୁଆ ଏବଂ ଜମ୍ମୁ ଜିଲା ଅନ୍ତର୍ଗତ ଅନ୍ତର୍ଜାତୀୟ ସୀମାର ବିଭିନ୍ନ ସ୍ଥାନରେ ପାକିସ୍ତାନୀ ଡ୍ରୋନ୍‌ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ପକାଇଥିଲା। ଗତ ଫେବୃୟାରୀ ୧୪ରେ ସାମ୍ବା ସେକ୍ଟରରେ ପକାଯାଇଥିବା ଏକ ବୋମାକୁ ବିଏସ୍‌ଏଫ୍‌ ଯବାନମାନେ ଉଦ୍ଧାର କରିଥିଲେ। ଗତବର୍ଷ ଡିସେମ୍ବର ୨୧ରେ ପଞ୍ଜାବ ପୋଲିସ ୧୧ଟି ହ୍ୟାଣ୍ଡ ଗ୍ରେନେଡ୍‌ ଜବତ କରିଥିଲା। ଏହା ଗୁରଦାସପୁର ଜିଲା ଅନ୍ତର୍ଗତ ଅନ୍ତର୍ଜାତୀୟ ସୀମାରେ ପଡ଼ିଥିଲା। ଏହା ପୂର୍ବରୁ ସେପ୍ଟେମ୍ବର ୨୨ରେ ପାକିସ୍ତାନୀ ଆତଙ୍କବାଦୀ ଜମ୍ମୁ ଜିଲାର ଅଖନୁର ସେକ୍ଟରରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ପକାଇଥିଲେ।

Share