ସାମାଜିକ କାର୍ଯ୍ୟ କରି ଚର୍ଚ୍ଚାରେ ଏହି ପ୍ରସିଦ୍ଧ ଗାୟିକା

ବଲିଉଡର ଗାୟିକା ପଲକ ମୁଛଲ ତାଙ୍କର ସୁମଧୁର ସ୍ବର ପାଇଁ ଜଣାଶୁଣା। ଏହା ସହିତ ସେ ନିଜର ସାମାଜିକ କାର୍ଯ୍ୟ ପାଇଁ ମଧ୍ୟ ଚର୍ଚ୍ଚାରେ ଥାନ୍ତି। ପଲକ ଆଜି ୩୦ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୯୦ ମସିହା ମାର୍ଚ୍ଚ ୩୦ରେ ମଧ୍ୟପ୍ରଦେଶର ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନରୁ ପଲକ ଗୀତ ଗାଇବାକୁ ପସନ୍ଦ କରୁଥିଲେ। ମାତ୍ର ୪ ବର୍ଷ ବୟସରେ ସେ କଲ୍ୟାଣଜୀ-ଆନନ୍ଦଜୀ ଲିଟିଲ୍‌ ଷ୍ଟାର୍‌ର ସଦସ୍ୟ ହୋଇଥିଲେ। ୯ ବର୍ଷ ବୟସରେ ତାଙ୍କର ପ୍ରଥମ ଆଲବମ୍‌ ‘ଚାଇଲ୍ଡ ଫର୍‌ ଚିଲ୍‌ଡ୍ରେନ୍‌’ ରିଲିଜ୍‌ ହୋଇଥିଲା। ଏହାପରଠାରୁ ସେ ପଛକୁ ଫେରିନାହାନ୍ତି। ଗୋଟିଏ ପରେ ଗୋଟି ହିଟ୍‌ ଗୀତ ଗାଇ ସେ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି। ବଲିଉଡ୍‌ ଫିଲ୍ମ ଏକ ଥା ଟାଇଗର୍‌, ଆଶିକି-୨, କିକ୍‌, ଆକ୍ସନ-ଜାକ୍ସନ, ପ୍ରେମ ରତନ ଧନ ପାୟୋ, ଧୋନୀ-ଦ ଅନଟୋଲ୍ଡ ଷ୍ଠୋରୀ, କାବିଲ ଏବଂ ବାଗି-୨ ଭଳି ସୁପରହିଟ୍‌ ଫିଲ୍ମରେ ପଲକ ଗୀତ ଗାଇଛନ୍ତି।
ଗୀତ ଗାଇବା ବ୍ୟତୀତ ପଲକ ହୃଦ୍‌ ରୋଗରେ ପୀଡିତ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ଏକ ମିଶନ ଚଳାନ୍ତି। ସେ ଏକ ଚାରିଟି ଚଲାନ୍ତି, ଯାହାର ନାମ ପଲକ ମୁଛଲ ହାର୍ଟ ଫାଉଣ୍ଡେସନ୍‌’। ଏହି ଫାଉଣ୍ଡେସନ୍‌ ଜରିଆରେ ସେ ପିଲାଙ୍କ ହାର୍ଟ ସର୍ଜରୀରେ ଆର୍ଥିକ ସହାୟତା ଯୋଗାନ୍ତି। ସାମାଜିକ କାର୍ଯ୍ୟ ପାଇଁ ପଲକ ଗିନିଜ୍‌ ବୁକ୍‌ ରେକର୍ଡରେ ସ୍ଥାନ ପାଇଥିଲେ। ୨୦୧୩ରେ ସେ ତାଙ୍କ ଚାରିଟି ଦ୍ୱାରା ଟଙ୍କା ସଂଗ୍ରହ କରି ହୃଦ ସମ୍ବନ୍ଧୀୟ ୫୫୦ ପିଲାଙ୍କୁ ସହାୟତା ଦେଇ ସେ ଉଭୟ ଗିନିଜ୍‌ ବୁ୍‌କ୍‌ ରେକର୍ଡ ଏବଂ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଥିଲେ।

Share