ନିର୍ବନ୍ଧ ପରେ ବି ସମ୍ପର୍କରେ ଫାଟ: ଚର୍ଚ୍ଚାରେ ଅବିନାଶଙ୍କ ବ୍ରେକ୍‌ଅପ୍‌

ବମ୍ବେ: ପ୍ରେମିକା ପଲକ ପୁରସଓ୍ବାନୀଙ୍କ ସହ ବ୍ରେକ୍‌ଅପ୍‌ କରିଛନ୍ତି ଟେଲିଭିଜନ ଅଭିନେତା ଅବିନାଶ ସଚଦେବ। ଉଭୟ କିଛି ବର୍ଷ ଧରି ପରସ୍ପରକୁ ଡେଟ୍‌ କରୁଥିଲେ। ୨୦୨୧ ଜାନୁୟାରୀରେ ସେମାନଙ୍କ ନିର୍ବନ୍ଧ ମଧ୍ୟ ସରିଥିଲା। ହେଲେ ସମ୍ପର୍କ ଆଉ ପାଦେ ଆଗେଇବା ପରିବର୍ତ୍ତେ ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

ପଲକ ସାକ୍ଷାତକାର ଦେଇ କହିଛନ୍ତି ଯେ, ଅବିନାଶଙ୍କ ସହ ତାଙ୍କ ସମ୍ପର୍କ ଶେଷ ହୋଇଛି। ଭଲପାଇବାଠାରୁ ମୋ ପାଇଁ ସମ୍ମାନ ଏବଂ ସଚ୍ଚୋଟତା ବଡ଼। ସବୁ ସମ୍ପର୍କରେ ଉତ୍ଥାନ ପତନ ଆସେ। ଏହା ସାଧାରଣ କଥା। ହେଲେ କଥା ଅଧିକ ବଢ଼ିଗଲେ ସମ୍ଭାଳିବା ମୁସ୍କିଲ। ଦୀର୍ଘ ୪ ବର୍ଷର ଯାତ୍ରାକୁ ଯଦି ସମ୍ମାନ କରି କହିବି ତେବେ ମୁଁ ଜାଣେ କି ଏବେ ଭଲ ସ୍ଥାନରେ ମୁଁ ଅଛି। ତାଙ୍କୁ ସବୁକିଛି ପାଇଁ ମୁଁ କ୍ଷମା କରିଦେଇଛି।

ଅପରପକ୍ଷେ ଅବିନାଶ ପୂର୍ବରୁ ଥରେ ବିବାହ କରିଛନ୍ତି। ୨୦୧୫ରେ ଧାରାବାହିକ ଇସ୍‌ ପ୍ୟାର୍‌ କୋ କ୍ୟା ନାମ୍‌ ଦୁଁ’ର ଅଭିନେତ୍ରୀ ଶାମଲୀ ଦେଶାଇଙ୍କୁ ବିବାହ କରିଥିଲେ ସେ। ହେଲେ ୨୦୧୭ରେ ଉଭୟଙ୍କ ଛାଡ଼ପତ୍ର ହୋଇଥିଲା। ଏହାଛଡ଼ା ସେ ଅଭିନେତ୍ରୀ ରୁବିତା ଦିଲାଇକଙ୍କୁ ଡେଟ୍‌ କରିବାକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥିଲେ।

Share