ଗୋପ,୨।୧୧(ଭାରତୀ ଭୂଷଣ ଉପାଧ୍ୟାୟ) ଦୁଇ ଶହ ବର୍ଷ ଧରି ଗୋପ ବ୍ଲକ ଅଧୀନ ମହଲପଡ଼ା ପଞ୍ଚାୟତ ଓରେଇ ଗ୍ରାମରେ ବଞ୍ଚିଛି ପାଳଭୂତ ପରମ୍ପରା। ଗ୍ରାମରେ ଏହା ଏକ ଭିନ୍ନ ପରମ୍ପରା ଭାବରେ ଦେଖିବାକୁ ମିଳେ। ଏହି ପାଳଭୂତ ପରମ୍ପରାର ମୁଖ୍ୟ ଉଦ୍ଦେଶ୍ୟ କୁଆଁରୀ ଝିଅମାନେ ରାତିସାରା ଖେଳକୁଦରେ ବ୍ୟସ୍ତ ରହୁଥିବାବେଳେ ପାଳଭୂତ ସେମାନଙ୍କୁ ସୁରକ୍ଷା ଯୋଗାଇ ଥାନ୍ତି। ପ୍ରକାଶ ଯେ କାହିଁ କେଉଁ କାଳରୁ ଗ୍ରାମରେ ଏପରି ଏକ ଭିନ୍ନ ପରମ୍ପରା ପାଳନ ହୋଇଆସୁଛି। କୁମାର ପୂର୍ଣ୍ଣିମା ଉତ୍ସବ ଅବସରରେ ଗଁାର ଯୁବକମାନେ ପାଳଭୂତ ଭାବରେ ପ୍ରସ୍ତୁତ ହେବା ପରେ ପାରମ୍ପରିକ ବାଦ୍ୟ ସହିତ ନାଚି ନାଚି ବିଭିନ୍ନ ପଡ଼ା ଗଁା ବୁଲିଥାନ୍ତି। ଏପଟେ ଗଁାର କୁମାରୀ ଝିଅମାନେ ‘କୁଆଁର ପୂନେଇଁ ଜହ୍ନଲୋ ଫୁଲ ବଉଳବେଣୀ’ ଗୀତ ମାଧ୍ୟମରେ ବିଭିନ୍ନ ଖେଳକୁଦରେ ବ୍ୟସ୍ତ ରହିଥାନ୍ତି। ଏପରି ଏକ ପରମ୍ପରା ସମ୍ପର୍କରେ ଗ୍ରାମର ବରିଷ୍ଠ ବ୍ୟକ୍ତିମାନେ କୁହନ୍ତି, ଏହି ପାଳଭୂତ ପରମ୍ପରା କାହିଁ କେଉଁ କାଳରୁ ଚାଲି ଆସିଥିବାବେଳେ ଗଁାର କୁଆଁରୀ ଝିଅଙ୍କୁ କେବଳ ସୁରକ୍ଷା ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅବସରରେ ଗଁାରେ ମା’ ଲକ୍ଷ୍ମୀଙ୍କ ମୂର୍ତ୍ତି ବସାଯାଇ ପୂଜାର୍ଚ୍ଚନା ହେବା ସହ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥାଏ। ଯୁବକମାନେ ଗଛ ଡାଳପତ୍ର ସହିତ ଆଉ କେତେକ ଜିନିଷ ଦେହରେ ଧାରଣ କରି ପାଳଭୂତ ହୋଇ ଥିବାବେଳେ ଆଉ କେତେକ ଯୁବକ ମଧ୍ୟ ଅନ୍ୟ ବେଶରେ ବାହାରି ଥାଆନ୍ତି। ଏବେ ବିଭିନ୍ନ ଗଁାରେ ଅନେକ ପରମ୍ପରା ବିଲୁପ୍ତ ହେଉଥିବାବେଳେ ଓରେଇ ଗ୍ରାମରେ ଏପରି ଏକ ପରମ୍ପରା ବଞ୍ଚି ରହିଛି।