ନୂଆଦିଲ୍ଲୀ,୧୭।୧୨: କଂଗ୍ରେସ ଏମ୍ପି ପ୍ରିୟଙ୍କା ଗାନ୍ଧୀଙ୍କ ବ୍ୟାଗ୍କୁ ନେଇ ହଙ୍ଗାମା। ସୋମବାର ସେ ପାଲେଷ୍ଟାଇନ ଲେଖାଥିବା ବ୍ୟାଗ୍ ନେଇ ସଂସଦରେ ପହଞ୍ଚିବା ପରେ ଉତ୍ତେଜନା ଦେଖାଦେଇଥିଲା। ଉକ୍ତ ବ୍ୟାଗ୍ରେ ପାଲେଷ୍ଟାଇନ୍ ମୁକ୍ତ ହେବ ବୋଲି ଲେଖାଯାଇଥିଲା। ସୋସିଆଲ ମିଡିଆରେ ଏହାର ଫଟୋ ଭାଇରାଲ ହେବା ପରେ ଭାଜପା ନେତାମାନେ ତାଙ୍କୁ କଟାକ୍ଷ କରୁଛନ୍ତି। ତାଙ୍କ ଉପରେ ତୁଷ୍ଟିକରଣ ରାଜନୀତି କରିବାର ଅଭିଯୋଗ ହେଉଛି।
ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରିୟଙ୍କା ଲେଖିଛନ୍ତି ଯେ ବିଶ୍ୱର ପ୍ରତ୍ୟେକ ସରକାରଙ୍କ ଏହା ନୈତିକ କର୍ତ୍ତବ୍ୟ ଯେ ଇସ୍ରାଏଲ ସରକାର ଦ୍ୱାରା କରାଯାଉଥିବା ନରସଂହାରର ନିନ୍ଦା କରିବା। ଏହାଛଡ଼ା ପ୍ରତ୍ୟେକ କଟାକ୍ଷର ଜବାବରେ ପ୍ରିୟଙ୍କା କହିଛନ୍ତି ଯେ ସେ କ’ଣ ପିନ୍ଧିବେ ତାହା ନିଜେ ସ୍ଥିର କରିବେ।
ଦେଖିବାକୁ ଗଲେ ପ୍ରିୟଙ୍କାଙ୍କ ହ୍ୟାଣ୍ଡବ୍ୟାଗରେ କୌଣସି ପାଲେଷ୍ଟାଇନ ପତାକା ନାହିଁ। ହେଲେ କିଛି ଏଭଳି ପ୍ରତୀକ ରହିଛି ଯାହା ଇସ୍ରାଏଲ ବିରୋଧୀ ବୋଲି କୁହାଯାଏ। ଏଥିରେ ପାଲେଷ୍ଟାଇନ ପତାକାର ରଙ୍ଗ ସହ ଶାନ୍ତିର ପ୍ରତୀକ ଧଳା ପାରା, ପାଲେଷ୍ଟାଇନ ଏମ୍ବ୍ରୋଡୋରୀ, ଅଲିଭ୍ ବ୍ରାଞ୍ଚ,ତରଭୂଜ ପ୍ରମୁଖ ରହିଥିଲା। ଏସବୁକୁ ନେଇ ଏବେ ହଙ୍ଗାମା ହେଉଛି।