Categories: ଜାତୀୟ

‘ପାଲି’ ଭାରତର ପ୍ରଥମ କାର୍ବନମୁକ୍ତ ପଞ୍ଚାୟତ

ପାଲି (ସାମ୍ବା),୨୫।୪(ପି.ଟି.) : ଜମ୍ମୁ-କଶ୍ମୀରର ସୀମାନ୍ତବର୍ତ୍ତୀ ସାମ୍ବା ଜିଲାର ପାଲି ପଞ୍ଚାୟତ ରବିବାର ଦେଶର ପ୍ରଥମ କାର୍ବନମୁକ୍ତ ପଞ୍ଚାୟତର ପରିଚୟ ହାସଲ କରିଛି। ସେଠାରେ ମାତ୍ର ୩ ସପ୍ତାହ ମଧ୍ୟରେ ନିର୍ମାଣ ହୋଇଥିବା ୫୦୦ କିଲୋଓ୍ବାଟ କ୍ଷମତା ବିଶିଷ୍ଟ ଏକ ସୌରଶକ୍ତି ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ପାଲି ସାରା ଦେଶକୁ କାର୍ବନ ନ୍ୟୁଟ୍ରାଲ ହେବାର ମାର୍ଗ ଦେଖାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ସବ୍‌ କା ପ୍ରୟାସ କ’ଣ ତାହା ସେଠାର ଲୋକେ କରି ଦେଖାଇଛନ୍ତି। ନିର୍ମାଣ କାର୍ଯ୍ୟରେ ନିୟୋଜିତ ଲୋକମାନଙ୍କୁ ସେମାନେ ଖାଦ୍ୟ ଯୋଗାଇଥିଲେ। ଗ୍ରାମ ଊର୍ଜା ସ୍ବରାଜ କାର୍ଯ୍ୟକ୍ରମରେ ସେଠାର ୬,୪୦୮ ବର୍ଗମିଟରରେ ନିର୍ମାଣ ହୋଇଥିବା ୧,୫୦୦ ସୋଲାର ପ୍ୟାନେଲ୍‌ ପଞ୍ଚାୟତର ୩୪୦ ଘରକୁ ସ୍ବଚ୍ଛ ବିଦ୍ୟୁତ୍‌ ଯୋଗାଇଦେବ। ପଞ୍ଚାୟତର ସମସ୍ତଙ୍କ ଘରେ ଏଲ୍‌ଇଡି ବଲ୍‌ବ, ସୋଲାର କୁକର୍‌, ସୋଲାର ଷ୍ଟୋଭ୍‌ ରହିଛି ବୋଲି ସରପଞ୍ଚ ରବୀନ୍ଦ୍ର ଶର୍ମା ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ। ଗ୍ରାମରେ ୧୦ଟି ସୋଲାର ପମ୍ପ୍‌ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୪୦ଟି ସ୍ଥାପନ କରାଯିବ ବୋଲି ସେ କହିଥିଲେ। ଏହା ଆମ ପାଇଁ ଐତିହାସିକ ଦିନ ବୋଲି ଗ୍ରାମର ଗୁରଦୀପ୍‌ ସିଂ କହିବା ସହ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
୨୦୧୯ ଅଗଷ୍ଟରେ ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ରବିବାର ସେଠାକୁ ଗସ୍ତ କରିଥିଲେ। ସେଠାରେ ସେ ୨୦,୦୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବା ସହ ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ସେଠାରୁ ସାରା ଦେଶର ଗ୍ରାମସଭାକୁ ଉଦ୍‌ବୋଧନ ଦେଇଥିଲେ। ଜମ୍ମୁ-କଶ୍ମୀରର ଯୁବପିଢ଼ିଙ୍କୁ ସେମାନଙ୍କ ପୂର୍ବପୁରୁଷମାନଙ୍କ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ବୋଲି ମୋଦି ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଥିବା ପ୍ରକଳ୍ପ ମଧ୍ୟରେ ୮୫୦ ମେଗାଓ୍ବାଟ ରାଟଲ୍‌ ଜଳବିଦ୍ୟୁତ୍‌ ପ୍ରକଳ୍ପ, ୫୪୦ ମେଗାଓ୍ବ୍‌ାଟ କ୍ୱାର୍‌ ଜଳବିଦ୍ୟୁତ୍‌ ପ୍ରକଳ୍ପ ଏବଂ ଦିଲ୍ଲୀ-ଅମୃତସର-କଟ୍ରା ଏକ୍ସପ୍ରେସ୍‌ଓ୍ବେ ରହିଛି। ୩,୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ବନିହାଲ-କାଜିଗଣ୍ଡ ରୋଡ୍‌ ଟନେଲକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି। ୮.୪୫ କିଲୋମିଟର ଦୀର୍ଘ ସୁଡ଼ଙ୍ଗ ବନିହାଲ ଏବଂ କାଜିଗଣ୍ଡ ମଧ୍ୟରେ ଦୂରତା ୧୬ କିଲୋମିଟର କମାଇବା ସହ ଯାତ୍ରା ସମୟକୁ ୧.୫ ଘଣ୍ଟା ହ୍ରାସ କରିବ।

Share