ପୁରୀ ଅଫିସ, ୭।୯: ତାଳପତ୍ର ହିଁ ଦେଖାଇଛି ବଞ୍ଚିବାର ରାହା। ପରିଚୟ ପଛରେ ବି ତାଳପତ୍ରର ନାଁ। ଏହାକୁ ନେଇ ସେମାନେ ସ୍ବପ୍ନ ଦେଖନ୍ତି ଆଉ ସମ୍ଭାବନା ସୃଷ୍ଟି କରନ୍ତି। ସକାଳୁ ରାତି ଯାଏ ତାଳପତ୍ର ପାଲଟିଯାଏ ସେମାନଙ୍କ ସାଥୀ। ନିଜ ଭିତରେ ଥିବା ପ୍ରତିଭାକୁ ଖୋଦେଇ କରନ୍ତି ତାଳପତ୍ର ଛାତିରେ। ବୈଷୟିକ ଯୁଗରେ ବି ଜୀବନ ଜୀବିକା ପାଇଁ ଓଡ଼ିଶାର ଏହି ପ୍ରାଚୀନ କଳା ଓ ଭାସ୍କର୍ଯ୍ୟ ପରମ୍ପରାର କୌଳିକ ବୃତ୍ତିକୁ ଜାବୁଡ଼ି ଧରିଛନ୍ତି ଅନେକ କାରିଗର। କିନ୍ତୁ ମହାମାରୀ କରୋନା ପାଇଁ ସେମାନଙ୍କ ଜୀବନ ଜୀବିକା ଏବେ ସଙ୍କଟରେ।ସମୟ ଥିଲା ତାଳପତ୍ର କାରିଗର ଭଲ ଦି’ ପଇସା ରୋଜଗାର କରୁଥିଲେ। ଖରାଦିନେ ବିଞ୍ଚଣା ଆଉ ବର୍ଷାଦିନେ ପଖିଆ ବ୍ୟବହାର କରୁଥିଲେ ଲୋକେ। ଘରେ ଘରେ ଚଟେଇ ଆଉ ତାଳପତ୍ରରେ ତିଆରି ଖେଳଣା ବ୍ୟବହାର ବି କମ୍ ନ ଥିଲା। ଧୀରେ ଧୀରେ ସମୟ ବଦଳିଲା। ତାଳପତ୍ର ସାମଗ୍ରୀର ଚାହିଦା କମିଗଲା। ତଥାପି କେତେଜଣ କାରିଗର ଏହି ବୃତ୍ତିକୁ ଆପଣେଇ ନିଜସ୍ବ ଜ୍ଞାନକୌଶଳରେ ତାଳପତ୍ରକୁ ବିଭିନ୍ନ ରୂପ ଦେଇ ପରିବାର ପ୍ରତିପୋଷଣ କରୁଛନ୍ତି। ମାତ୍ର ଏବେ ମହାମାରୀ କରୋନା ସେମାନଙ୍କ ହାତ ବାନ୍ଧି ଦେଇଛି।
ପୁରୀ ସଦର ବ୍ଲକ ମାଳତିପାଟପୁର ପଞ୍ଚାୟତର ନାୟକପାଟଣା ଗାଁ। ଏଠାକାର ପ୍ରତିଟି ଘରେ ତାଳପତ୍ର କାରିଗରିର ଛାପ। ତାଳପତ୍ର ଖୋଦେଇ ହିିଁ ସେମାନଙ୍କ ଜୀବନ ଜୀବିକାର ମୁଖ୍ୟ ଉତ୍ସ। ତାଳପତ୍ରରେ ପୋଥି, ଗୀତା ରଥ, କନ୍ଦର୍ପ ହାତୀ, କନ୍ଦର୍ପ ଘୋଡ଼ା, କନ୍ଦର୍ପ ରଥ, ରାମାୟଣ, କୃଷ୍ଣଲୀଳା, ମହାଭାରତ ସମେତ ପୁରାଣର ବିଭିନ୍ନ ବିଷୟବସ୍ତୁକୁ ଦର୍ଶାଇଥାନ୍ତି। ନୂଆପିଢିର କାରିଗରମାନେ ଅଳଙ୍କାର ବାକ୍ସ, କାଚ ଫ୍ରେମ୍, ବିଭିନ୍ନ ପ୍ରକାର ଅଳଙ୍କାର, ସିନ୍ଦୁର ଫରୁଆ, ପେନ୍ ଷ୍ଟାଣ୍ଡ, ଟେବୁଲ ମ୍ୟାଟ୍, ଲ୍ୟାମ୍ପ ସେଟ୍ ଆଦି ନାନା ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ଖୋଦେଇ ସାମଗ୍ରୀ ତିଆରି କରିଥାନ୍ତି। ମାତ୍ର ଏସବୁ ସାମଗ୍ରୀ ବିକ୍ରି ପାଇଁ ବିଶେଷ ସୁବିଧା ନାହିଁ। ତେଣୁ ସେମାନେ ମେଳା, ପ୍ରଦର୍ଶନୀକୁ ଯାଇ ବିକିଥାନ୍ତି। ଏହାବ୍ୟତୀତ ଉତ୍କଳିକାକୁ ମଧ୍ୟ ଦେଇଥାନ୍ତି। ସରକାରୀ ଭାବେ ଏହି ସାମଗ୍ରୀ ବିକ୍ରି ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନ ଥିବାରୁ କାରିଗର ହଇରାଣ ହେଉଛନ୍ତି। ଗାଁର କେତେଜଣ ଯୁବକ ପୁରୀ ସହରସ୍ଥ ବିଭିନ୍ନ ହୋଟେଲ, ଯାତ୍ରୀନିବାସ ସହ ଯୋଗାଯୋଗ କରି ପର୍ଯ୍ୟଟକଙ୍କୁ ସାମଗ୍ରୀ ବିକିଥାନ୍ତି। ହେଲେ କରୋନା ପାଇଁ ପ୍ରାୟ ୬ମାସ ହେବ ସବୁ ବନ୍ଦ ରହିବାରୁ ଆଗଭଳି କାମ ହେଲାନାହିଁ। କେବଳ ତାଳପତ୍ର କାରିଗର ନୁହଁନ୍ତି ହସ୍ତଶିଳ୍ପକୁ ଜୀବିକା କରିଥିବା ହେରିଟେଜ ଭିଲେଜ ରଘୁରାଜପୁର, ହସ୍ତଶିଳ୍ପ ଗ୍ରାମ ଦାଣ୍ଡସାହି, ନାୟକପାଟଣାର ପ୍ରାୟ ୩୫୦ରୁ ଊର୍ଦ୍ଧ୍ୱ ପରିବାର ଜୀବିକା ହରାଇଛନ୍ତି। ଅନେକ କାରିଗର ବୃତ୍ତି ଛାଡ଼ିି ପରିବାର ଚଳାଇବା ପାଇଁ ଅନ୍ୟ ବେଉସା କଲେଣି ବୋଲି ନାୟକପାଟଣାର ତାଳପତ୍ର କାରିଗର ମାଗା ନାୟକ କହିଛନ୍ତି। ଓଡ଼ିଶାର ଏହି ପ୍ରାଚୀନ କଳା ଓ ଭାସ୍କର୍ଯ୍ୟକୁ ବଞ୍ଚାଇ ରଖିବାକୁ ହେଲେ କାରିଗରମାନଙ୍କୁ ସରକାରୀ ସହାୟତାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।