ଖୋର୍ଦ୍ଧା ଅଫିସ,୨୬।୩: ଭାରତୀୟ ସଂସ୍କୃତି, ପରମ୍ପରାରେ ତାଳପତ୍ରର ବହୁଳ ବ୍ୟବହାର ରହିଛି। ପ୍ରାଚୀନ କାଳରୁ ସଂସ୍କୃତି, ଶାସ୍ତ୍ରୀୟ ମତ ବିଚାର, ଗ୍ରନ୍ଥ ଆଦି ତାଳପତ୍ରରେ ଲେଖାଯାଇଛି। ମୁନିଋଷିମାନେ ମଧ୍ୟ ତାଳପତ୍ର ଓ ଲେଖନୀକୁ ବ୍ୟବହାର କରି ରାମାୟଣ, ମହାଭାରତ, ପୁରାଣ, ଶାସ୍ତ୍ର ଆଦି ବହୁ ମୂଲ୍ୟବାନ୍ ଗ୍ରନ୍ଥ ରଚନା କରିଛନ୍ତି। ଭାରତର ବିଭିନ୍ନ ଗ୍ରନ୍ଥାଗାରରେ ତାଳପତ୍ରରେ ଖୋଦିତ ପୋଥି ସଂରକ୍ଷିତ ଅବସ୍ଥାରେ ରହିଛି। ପୁରୀର ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ୨୦୦ରୁ ଊର୍ଦ୍ଧ୍ୱ ତାଳପତ୍ର ପୋଥି ସଂରକ୍ଷିତ ଅବସ୍ଥାରେ ରହିଛି। ପୂର୍ବରୁ ଜାତକ ତାଳପତ୍ରରେ ଲେଖାଯାଉଥିବା ବେଳେ ଏବେ କମ୍ପ୍ୟୁଟରରେ କରାଯାଉଛି। ଫଳରେ ତାଳପତ୍ରର ଚାହିଦା ଦିନକୁଦିନ କମିବାରେ ଲାଗିଛି। କମ୍ପ୍ୟୁଟର ମାଧ୍ୟମରେ କମ୍ ସମୟରେ ଜାତକ ପ୍ରସ୍ତୁତ କରାଯାଉଛି। ପ୍ରାଚୀନ ସଂସ୍କୃତିର ବାର୍ତ୍ତା ବହନ କରି ଆସୁଥିବା ତାଳପତ୍ର ଜାତକ କ୍ରମଶଃ ବିଲୁପ୍ତି ହେବାକୁ ବସିଛି।
ପରିବାରରେ ଶିଶୁଟିଏ ଜନ୍ମ ହେଲେ ପ୍ରଥମେ ତା’ର ଜାତକ ପ୍ରସ୍ତୁତି ନିମନ୍ତେ ଜ୍ୟୋତିଷ ଖୋଜାପଡ଼ନ୍ତି। ତେବେ ସମୟ ବଦଳିଛି। ତାଳପତ୍ରର ସ୍ଥାନ କମ୍ପ୍ୟୁଟର ନେଇଛି। ତଥାପି ତାଳପତ୍ର ଜାତକର ଚାହିଦା କମିନି। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଖୋର୍ଦ୍ଧା ଜିଲା ତଣ୍ଡାଳ ଗ୍ରାମରେ। ଗ୍ରାମର ଜ୍ୟୋତିଷ କୃଷ୍ଣ ଚନ୍ଦ୍ର ଗ୍ରହାଚାର୍ଯ୍ୟଙ୍କ ପାଖରେ ତାଳପତ୍ରରେ ଜାତକ ପ୍ରସ୍ତୁତି, ବିବାହ ପାଇଁ ଜାତକ ମିଳନ, ମାଙ୍ଗଳିକ କାର୍ଯ୍ୟର ଶୁଭଦିନ ପାଇଁ ସକାଳଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଲୋକଙ୍କ ଗହଳି ଲାଗି ରହିଥାଏ। କମ୍ପ୍ୟୁଟରରେ ଜାତକ ପ୍ରସ୍ତୁତ କଲେ ମଧ୍ୟ ତାଳପତ୍ର ଜାତକ ପ୍ରସ୍ତୁତି ଲାଗି ଲୋକଙ୍କ ମଧ୍ୟରେ ଆଗ୍ରହ ରହିଛି। ତାଳପତ୍ରରେ ପ୍ରସ୍ତୁତ ଜାତକ ବହୁ ବର୍ଷ ଧରି ଅକ୍ଷୁଣ୍ଣ ଅବସ୍ଥାରେ ରହିଥାଏ ବୋଲି କୃଷ୍ଣଚନ୍ଦ୍ର କହିଛନ୍ତି। ସେହିପରି ଜ୍ୟୋତିର୍ବିଦ୍ ନିରଞ୍ଜନ ପଣ୍ଡା କହିଛନ୍ତି, ଜାତକରୁ ଜଣେ ବ୍ୟକ୍ତିଙ୍କ କ’ଣ ଗ୍ରହ ଦୋଷ ରହିଛି, ଗ୍ରହ ଚଳଣ ସ୍ଥିତି କିପରି ରହିଛି; ତିଥି, ନକ୍ଷତ୍ର ଚଳଣକୁ ଦେଖି ତାଙ୍କ ଭବିଷ୍ୟତ ସମ୍ପର୍କରେ ଜାଣିହୁଏ। କାଗଜରେ ପ୍ରସ୍ତୁତ ଜାତକ ନଷ୍ଟ ହୋଇଯିବ। କିନ୍ତୁ ତାଳପତ୍ରରେ ପ୍ରସ୍ତୁତ ଜାତକ ବର୍ଷ ବର୍ଷ ଧରି ରହିବ। ଏ ସମ୍ପର୍କରେ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର ମିଶ୍ର କହିଛନ୍ତି, ଯେତେବେଳେ ଛାପା, କାଳି ନ ଥିଲା, ସେତେବେଳେ ତାଳପତ୍ରରେ ଲେଖନୀ ମୁନରେ ଖୋଦେଇ କରି ବହୁ ପ୍ରାଚୀନ ଗ୍ରନ୍ଥ, ଶାସ୍ତ୍ର ଲେଖାଯାଇଛି। ଭାରତୀୟ ସଂସ୍କୃତି ପରମ୍ପରା ସହିତ ତାଳପତ୍ରର ବ୍ୟବହାର ଜଡ଼ିତ ରହିଛି। ତାଳପତ୍ରରେ ଲେଖାଯାଇଥିବା ବହୁ ପ୍ରାଚୀନ ଗ୍ରନ୍ଥ ଶାସ୍ତ୍ର ଆଜି ମଧ୍ୟ ରହିଛି। ଏହାର ସଂରକ୍ଷଣ ଜରୁରୀ ବୋଲି ସେ କହିଛନ୍ତି। ବର୍ଷ ବର୍ଷର ବହୁ ପ୍ରାଚୀନ ପରମ୍ପରା ଆଧୁନିକତାର ବିଜ୍ଞାନ ଯୁଗରେ ହଜି ନ ଯାଉ ସେଥିଲାଗି ଚିନ୍ତା କରିବାର ସମୟ ଆସିଛି। ଗାଁ ଗାଁରେ ବହୁ ଭାଗବତ ଟୁଙ୍ଗିରେ ଏବେ ମଧ୍ୟ ତାଳପତ୍ରରେ ଖୋଦିତ ଭାଗବତ ପୋଥି ରହିଛି। ଏହାକୁ ପୂଜାର୍ଚ୍ଚନା କରାଯାଉଛି। ଏଥିରେ ବହୁ ମୂଲ୍ୟବାନ୍ ତଥ୍ୟ ଦିଆଯାଇଛି। ଏହାର ସଂରକ୍ଷଣ ପ୍ରତି ସରକାର ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ମିଶ୍ର କହିଛନ୍ତି।