ତତଲା ବାଲି, କଣ୍ଟାରେ ଗଡ଼ିଲେ ମାନସିକଧାରୀ

ଖୋର୍ଦ୍ଧା,୧୪ା୪(ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ଜିଲାର ପୁରପଲ୍ଲୀରେ ମେରୁଯାତ୍ରା ପାଳିତ ହୋଇଯାଇଛି। ମାନସିକସାରୀ ୨୧ ଦିନ ଧରି ନିଷ୍ଠାର ସହ ଉପବାସ ରହି ପର୍ବକୁ ପାଳନ କରିଥିଲେ। ମାନସିକଧାରୀ ତତଲା ବାଲିରେ ଚାଲିବା ସହ କୋଇଲିଖା କଣ୍ଟାରେ ଗଡ଼ିଥିଲେ। ପାଟଭୁକ୍ତା ନିଆଁରେ ଝୁଲିଥିଲେ। ବିଶ୍ୱାସ ଓ ନିଷ୍ଠା ଯୋଗୁ ତତଲା ବାଲି କିମ୍ବା କଣ୍ଟାରେ ଗଡ଼ିବା ବେଳେ ଶରୀରକୁ କୌଣସି କଷ୍ଟ ହୋଇ ନ ଥାଏ ବୋଲି କହିଛନ୍ତି ମାନସିକଧାରୀ। ମାସାଧିକ କାଳ ନିଷ୍ଠାରେ ରହି ସମସ୍ତ ନୀତି ସମ୍ପନ୍ନ କରିଥା’ନ୍ତି। ଆଉ ଶେଷ ୭ ଦିନ କେବଳ ଗୋଟିଏ ଓଳି ପଣା ସେବନକରି ମନ୍ଦିର ପରିସରରେ ରାତ୍ରିଯାପନ କରିଥା’ନ୍ତି। ଏହାଦ୍ୱାରା ସେମାନଙ୍କ ସକଳ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।
ସହରର ଉପରସାହିସ୍ଥିତ କାମନାବର ମନ୍ଦିରରେ ମେରୁଯାତ୍ରାରେ ଶତାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ପୂର୍ବାହ୍ନରେ ଦଣ୍ଡୁଆମାନେ କୋଇଲିଖା କଣ୍ଟା ସଂଗ୍ରହକରି ହରିଚନ୍ଦନ ପୋଖରୀରେ ବୁଡ଼ାଇ ରଖିଥିଲେ। ମଧ୍ୟାହ୍ନରେ ଧୂଳିଦଣ୍ଡ ଅନୁଷ୍ଠିତ ହୋଇଥିଲା। ଧୂଳିଦଣ୍ଡରେ ଦଣ୍ଡୁଆମାନେ ବିଭିନ୍ନ ପ୍ରକାର ଦଣ୍ଡ ଭାଙ୍ଗିଥିଲେ। ଓଡ଼ିଶାର କୃଷି ପରମ୍ପରାର ଝଲକ ମଧ୍ୟ ଏଥିରେ ଦେଖିବାକୁ ମିଳେ। ଧୂଳିଦଣ୍ଡ ପରେ ମାନସିକଧାରୀ ହରିଚନ୍ଦନ ପୋଖରୀରେ ପହଞ୍ଚତ୍ଥିଲେ। ସ୍ନାନସାରି ସେଠାରେ ନୀତି ସମ୍ପନ୍ନ ହେବା ପରେ କଣ୍ଟାକୁ ଆଣି ମନ୍ଦିର ସମ୍ମୁଖରେ ଶହେ ମିଟର ପର୍ଯ୍ୟନ୍ତ ପ୍ରାୟ ୨ଫୁଟ ଉଚ୍ଚତାରେ ବିଛାଇଥିଲେ। ପାଟଭୁକ୍ତା କାମନା ଦେବ ଠାକୁରଙ୍କ ନିକଟରେ ପୂଜାର୍ଚ୍ଚନା ପରେ ଠାକୁରଙ୍କୁ ଧରି କଣ୍ଟାର ଚତୁଃପାର୍ଶ୍ୱ ପରିକ୍ରମା କରି ତାହାକୁ ସ୍ପର୍ଶ କରାଇଥିଲେ। ପରେ ଦଣ୍ଡୁଆମାନେ ପାଟଭୁକ୍ତାଙ୍କ ସହ କଣ୍ଟାର ଚାରିପଟେ ୭ଥର ପରିକ୍ରମା କରିଥିଲେ। ଘଣ୍ଟ, ଘଣ୍ଟା, କାହାଳି, ମୃଦଙ୍ଗ ଆଦି ବାଦ୍ୟଯନ୍ତ୍ରରେ ପରିବେଶ ପ୍ରକମ୍ପିତ ହୋଇଥିଲା। ଭକ୍ତଙ୍କ ଜୟ ଜୟକାର, ମନ୍ତ୍ରଧ୍ୱନି, ହୁଳହୁଳିରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା। ପରେ ଦଣ୍ଡୁଆମାନେ କଣ୍ଟା ଉପରେ ଗଡ଼ିଥିଲେ।
ଅପରାହ୍ନରେ ଦଣ୍ଡୁଆମାନେ ସ୍ନାନସାରି ମନ୍ଦିରରେ ପହଞ୍ଚତ୍ ଠାକୁରଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ। ପାଟପର୍ବ ପାଇଁ ପ୍ରସ୍ତୁତି କରାଯାଇଥିଲା। ମନ୍ଦିର ପରିସରର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ମେରୁ ଖୁଣ୍ଟକୁ ଶୋଧ କରାଯାଇ ଆମ୍ବ ବନ୍ଧାଯାଇଥିଲା। ପରେ ଠାକୁରଙ୍କ ନିକଟରେ ଗୁହାରିଆ ପଡ଼ିଥିବା ପାଟଭୁକ୍ତାଙ୍କ ଗୋଡ଼କୁ ଦଉଡ଼ିରେ ବାନ୍ଧି ଗୋଡ଼ ଦୁଇଟି ଉପରକୁ କରାଯାଇ ମେରୁଖୁଣ୍ଟରେ ବନ୍ଧାଯାଇଥିଲା। ତଳେ ଅଗ୍ନି ସଂଯୋଗ କରାଯାଇଥିଲା। ଏହି ସମୟରେ ପାଟଭୁକ୍ତା ବନ୍ଧାଯାଇଥିବା ଆମ୍ବକୁ ଫୋପାଡ଼ିଥିଲେ। ବିଶ୍ୱାସ ରହିଛି, ଏହି ଆମ୍ବକୁ ବନ୍ଧ୍ୟାନାରୀ ସେବନକଲେ ସନ୍ତାନ ପ୍ରାପ୍ତି ହୋଇଥାଏ। ଦଣ୍ଡୁଆମାନେ ଗଡ଼ିଥିବା କଣ୍ଟା ଠାକୁରଙ୍କ ସ୍ପର୍ଶ ପାଇଥିବାରୁ ଏହାକୁ ନେଇ ଘରେ ରଖିଲେ ପରିବାରରେ ଶାନ୍ତି ବଜାୟ ରହିବା ସହ ସକାଳ ଦୁରାରୋଗ୍ୟ ମଧ୍ୟ ଦୂର ହୋଇଥାଏ। ଏ ସମ୍ପର୍କରେ ପାଟଭୁକ୍ତା କହିଛନ୍ତି, ଏହି ପରମ୍ପରା ପ୍ରାୟ ଶହେବର୍ଷରୁ ଊର୍ଦ୍ଧ୍ୱ ହେବ। ଓଡ଼ିଶାର ସଂସ୍କୃତି, ପରମ୍ପରା ମଧ୍ୟରେ ଦଣ୍ଡଯାତ୍ରା ଅନନ୍ୟ। ନିଷ୍ଠା, ସମର୍ପଣ ଓ ଭକ୍ତିଭାବ ରହିଲେ ଇଶ୍ୱରତ୍ୱ ପ୍ରାପ୍ତି ହୋଇଥାଏ। କୋଇଲିଖା କଣ୍ଟାରେ ଗଡ଼ିବା ବେଳେ କଣ୍ଟା ଦେହରେ ଭେଦିବା ସମ୍ଭାବନା ରହିଥାଏ। ତେବେ ଦଣ୍ଡୁଆମାନଙ୍କୁ କିଛି ହୋଇ ନ ଥାଏ। ଏସବୁ ଠାକୁରଙ୍କ ମହିମା ଓ ଆଶୀର୍ବାଦ। କଣ୍ଟାର କଷ୍ଟକୁ ଦଣ୍ଡୁଆମାନେ ଉପଲବ୍ଧି କରି ନ ଥାନ୍ତି। ଏସବୁ କାମନାବର ଠାକୁରଙ୍କ ଅସୀମ ମହିମା ବୋଲି ସେମାନେ କହିଛନ୍ତି।

Share