Advertisement

୨ ଶିକ୍ଷକରେ ଚାଲିଛି ପାଲୁଙ୍କିଆ ବିଦ୍ୟାଳୟ

ବାଲିଗୁଡା,୨।୭ (ସଞ୍ଜୟ କୁମାର ପାଣିଗ୍ରାହୀ)‘ସଭିଏଁ ପଢ଼ନ୍ତୁ, ସଭିଏଁ ବଢ଼ନ୍ତୁ’ ସରକାର ଏହି ସ୍ଲୋଗାନ ଦେଇ ସମସ୍ତେ ଯେଭଳି ପାଠମୁହାଁ ହେବେ ସେଥିପାଇଁ ଉତ୍ତମ ଶିକ୍ଷା ବ୍ୟବସ୍ଥା ସହିତ ଭିତ୍ତିଭୂମି ସଜାଡୁଛନ୍ତି। କିନ୍ତୁ ବାଲିଗୁଡା ବ୍ଲକ ଅନ୍ତର୍ଗତ ବାଟାଗୁଡା ପଞ୍ଚାୟତର ପାଲୁଙ୍କିଆ ପ୍ରାଥମିକ ବିଦ୍ୟାଳୟ ଅବସ୍ଥା କହିଲେ ନସରେ। ଏହି ବିଦ୍ୟାଳୟଟି ୧୯୬୦ ମସିହାରେ ସ୍ଥାପିତ ହୋଇଥିବା ବେଳେ ଏଠାରେ ଏପର୍ଯ୍ୟନ୍ତ କୋଠାଘରେ ପିଲା ପଢି ପାରିଲେନି। ଆଜକୁ ୮ବର୍ଷ ତଳେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଗୋଟିଏ ଶ୍ରେଣୀ ଗୃହ କାର୍ଯ୍ୟ ଆରମ୍ଭ କରିଛନ୍ତି ଯେ, ତାହାର ନିର୍ମାଣ କାର୍ଯ୍ୟ ଆଜିଯାଏ ସରୁନାହିଁ। ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡିରହିଛି। ଏଥିରେ ନିୟୋଜିତ ଶ୍ରମିକଙ୍କ ମୂଲ ବି ମିଳିନାହିଁ। ବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମରୁ ୫ମ ଶ୍ରେଣୀରେ ୫୦ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। କିନ୍ତୁ ଆବଶ୍ୟକ ସଂଖ୍ୟକ ଶ୍ରେଣୀ ଗୃହ ନାହିଁ କି ଶିକ୍ଷକ ନାହାନ୍ତି। ବିଦ୍ୟାଳୟର କାର୍ଯ୍ୟାଳୟକୁ ମିଶାଇ ଦୁଇଟି ପ୍ରକୋଷ୍ଠ ରହିଛି ତାହାପୁଣି ଭଗ୍ନ ଅବସ୍ଥାରେ। ବର୍ଷା ହେଲେ ପାଣି ଗଳୁଛି। ଦିନ ବେଳେ ଆକାଶ ଦିଶୁଛି। ୫ଟି ଶ୍ରେଣୀର ପିଲାଏ ମାତ୍ର ଦୁଇଜଣ ଶିକ୍ଷକରେ ଦୁଇଟି ଶ୍ରେଣୀରେ ବସି ପାଠ ପଢୁଛନ୍ତି। ଯଦି ପ୍ରଧାନଶିକ୍ଷକ କୌଣସି କାର୍ଯ୍ୟରେ ଗଲେ, ତେବେ ପାଠପଢ଼ା ଠପ୍‌ ହୋଇଯାଏ। କାରଣ ଜଣେ ଶିକ୍ଷକ ୫ ଶ୍ରେଣୀର ପିଲାଙ୍କୁ ପଢ଼ାଇବା ସମ୍ଭବପର ହେଉନି। ପିଲାମାନେ କ’ଣ ଏତେ ଦୟନୀୟ ଅବସ୍ଥାରେ ପାଠପଢିବେ ବୋଲି ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଲଙ୍କେଶ୍ୱର ଦିଗାଲ କ୍ଷୋଭର ସହ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବାରମ୍ବାର ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଲିଖିତ ଆକାରରେ ଜଣାଇଲେ ବି କିଛି ସୁଫଳ ମିଳୁନାହିଁ ବୋଲି କହିଛନ୍ତି ସଭାପତି ଓ ଗ୍ରାମବାସୀ। ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀଙ୍କୁ ପଚାରିବାରୁ ଏ ସମ୍ପର୍କରେ ବିଭାଗ ଅବଗତ ଅଛି, ପିଲା ସଂଖ୍ୟା ଅନୁସାରେ ଶିକ୍ଷକ ଅଛନ୍ତି ଏବଂ ଶ୍ରେଣୀ ଗୃହ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ରହିଛି ଆମେ ଆମ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଜଣାଇଛୁ, ସେ ଯାହା ପଦକ୍ଷେପ ନେବେ ବୋଲି କହିଛନ୍ତି। ଏହି ବିଦ୍ୟାଳୟ ପ୍ରତି ଦୃଷ୍ଟି ଦେଇ ଶ୍ରେଣୀଗୃହ ଓ ଶିକ୍ଷକ ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ କରିବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଏଥିପ୍ରତି କନ୍ଧମାଳ ଜିଲାପାଳ ଓ ବାଲିଗୁଡା ଉପଜିଲାପାଳ ତୁରନ୍ତ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରୁ ଦାବି କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel