ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବ ପାମ୍ପଡ଼: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୨୪।୭: ସମଗ୍ର ଦେଶରେ କରୋନା ଭାଇରସ ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କରୋନା ସହ ମୁକାବିଲା ପାଇଁ ସମଗ୍ର ବିଶ୍ୱ ଭ୍ୟାକସିନ୍‌ ପ୍ରସ୍ତୁତି କରିବା ନେଇ ଚେଷ୍ଟା ଚଳାଇଛି। ଇତିମଧ୍ୟରେ କେନ୍ଦ୍ର ସଂସଦୀୟ ବ୍ୟାପାରମନ୍ତ୍ରୀ ଅର୍ଜୁନରାମ ମେଘୱାଲଙ୍କ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ‘ଭାବି ଜୀ’ ପାମ୍ପଡ଼ର ଶୁଭାରମ୍ଭ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ବୁଧବାର ଅର୍ଜୁନରାମ ଉକ୍ତ ପାମ୍ପଡ଼ର ଶୁଭାରମ୍ଭ କରିଛନ୍ତି। ଏଥିସହ ସେ କହିଛନ୍ତି, ଉକ୍ତ ପାମ୍ପଡ଼ କରୋନା ଭାଇରସ ସହ ଲଢ଼ିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହେବ। ଶୁକ୍ରବାର ଏହି ଭିଡିଓ ସାମ୍ନାକୁ ଆସିବା ପରେ ଚର୍ଚ୍ଚାର ପରିସରକୁ ଆସିଛି। ସୂଚନା ମୁତାବକ କରୋନା କାଳରେ ଉନ୍ନତ ସ୍ବାସ୍ଥ୍ୟ ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଲକ୍ଷ୍ୟରେ ଅନେକ ଘରୋଇ କମ୍ପାନୀ ଔଷଧଠାରୁ ଖାଦ୍ୟ ପାନୀୟ ଉପରେ ଏବେ ବିଶେଷ ଦୃଷ୍ଟି ଦେଉଛନ୍ତି।

Share