ମୁମ୍ବାଇ, ୨୧।୫ : ବଲିଉଡର ପ୍ରସିଦ୍ଧ ଅଭିନେତା ବିଗ ବି ଅମିତାଭ ବଚ୍ଚନ, ଅଜୟ ଦେବଗନ, କିଙ୍ଗ ଖାନ ଶାହାରୁଖ ଏବଂ ରଣଭୀର ସିଂଙ୍କ ବିରୋଧରେ ଏକ ମାମଲା ପଞ୍ଜିକୃତ ହୋଇଛି। ପାନ ମସଲାର ବିଜ୍ଞାପନ ନେଇ ଏହି ଚାରି ଜଣଙ୍କ ଉପରେ ଏହି ମାମାଲା ରୁଜୁ କରାଯାଇଛି ।
ବିହାରର ମୁଜାଫରପୁରରେ ରହୁଥିବା ସାମାଜିକ କାର୍ଯ୍ୟକର୍ତ୍ତା ଏହି ସମସ୍ତ କଳାକାରଙ୍କ ବିରୋଧରେ ଏହି ମାମଲା ଦାଏର କରିଛନ୍ତି।
ସାମାଜିକ କାର୍ଯ୍ୟକର୍ତ୍ତା ତମନ୍ନା ହାଶମି ରଣବୀର ସିଂ, ଅଜୟ ଦେବଗାନ, ଶାହାରୁଖ ଖାନ ଏବଂ ଅମିତାଭ ବଚ୍ଚନଙ୍କ ବିରୋଧରେ ୪୬୭, ୪୬୮,୪୩୯ ଏବଂ ୧୨୦-ବି ଅନୁଯାୟୀ ମାମଲା ଦାଏର କରିଛନ୍ତି। ଏଥି ସହିତ, ଚାର୍ଜଶିଟରେ ଏହି ଚାରି ତାରକା ମଧ୍ୟ ଟଙ୍କା ଲୋଭ ପାଇଁ ସେମାନଙ୍କ ଷ୍ଟାରଡମକୁ ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏକ ରିପୋର୍ଟ ଅନୁଯାୟୀ, ଏହି ମାମଲାର ଶୁଣାଣି ମେ ୨୭ରେ ହେବ।
ତମନ୍ନା କହିଛନ୍ତି ଯେ ଏହି ତାରକାମାନେ ସେମାନଙ୍କର ଲୋକପ୍ରିୟତାର ସମ୍ପୂର୍ଣ୍ଣ ଫାଇଦା ନେଇଛନ୍ତି। ପିଲାମାନଙ୍କଠାରୁ ବୃଦ୍ଧ ପର୍ଯ୍ୟନ୍ତ, ଲୋକେ ଏସବୁ ଅଭିନେତାଙ୍କୁ ଆଦର୍ଶଭାବେ ଗ୍ରହଣ କରୁଥିବାବେଳେ ସେମାନଙ୍କ ପଥକୁ ଅନୁସରଣ କରନ୍ତି। ଏପରି ପରିସ୍ଥିତିରେ, ସେମାନଙ୍କ ଦ୍ୱାରା ଏପରି ବିଜ୍ଞାପନ ଲୋକମାନଙ୍କ ଉପରେ ଭୁଲ ପ୍ରଭାବ ପକାଇବାର ଆଶଙ୍କା ରହିଛି।
ଅମିତାଭ ବଚ୍ଚନ ତାଙ୍କ ଜନ୍ମଦିନରେ ଏକ ବିବୃତ୍ତି ଦେଇଥିଲେ ଯେ ସେ ତାଙ୍କର ଏଭଳି ଚୁକ୍ତିନାମାକୁ ବନ୍ଦ କରିଦେଇଛନ୍ତି। ସେ କହିଥିଲେ ଯେ କମଲା ପସନ୍ଦର ବିଜ୍ଞାପନର କିଛି ଦିନ ପରେ କମ୍ପାନୀ ସହ କଥା ହେବା ପରେ ସେ ବିଜ୍ଞାପନ ସହିତ ଚୁକ୍ତିନାମାକୁ ବନ୍ଦ କରିଦେଇଥିଲେ ଏବଂ ପ୍ରମୋଶନ ଫି ମଧ୍ୟ ଫେରସ୍ତ କରିଥିଲେ।