ପଞ୍ଚ ପାଇକଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର ପ୍ରସଙ୍ଗ: ଜିଲାପାଳଙ୍କୁ ଡିଟେଲ୍ଡ ପ୍ରୋଜେକ୍ଟ ରିପୋର୍ଟ ପ୍ରଦାନ

ଖୋର୍ଦ୍ଧା ଅଫିସ,୨୨ା୭: ଭୁବନେଶ୍ୱର-ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥର ଗଡ଼ଖୋର୍ଦ୍ଧାସ୍ଥିତ ପଞ୍ଚ ପାଇକଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର ହେବ। ପାଇକ ବିଦ୍ରୋହର ସ୍ମୃତିଚିହ୍ନସ୍ବରୂପ ଗଡ଼ଖୋର୍ଦ୍ଧା ଛକରେ ରହିଛି ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, କୃତ୍ତିବାସ ପାଟ୍ଟଶାଣୀ, ମାଧବ ଚନ୍ଦ୍ର ରାଉତରାୟ ଓ ପିଣ୍ଡିକି ବାହୁବଳେନ୍ଦ୍ରଙ୍କ ପ୍ରତିମୂର୍ତ୍ତି। ଏହି ପ୍ରତିମୂର୍ତ୍ତି ସବୁ ଜାତୀୟ ରାଜପଥ ପାର୍ଶ୍ୱ ଖୋର୍ଦ୍ଧା ମୌଜାସ୍ଥିତ ପ୍ଲଟ୍‌ ନମ୍ବର ୧୩୧କୁ ସ୍ଥାନାନ୍ତର ଲାଗି ସ୍ଥିର ହୋଇଛି। ପ୍ରଶାସନ ପକ୍ଷରୁ ଏହାର ଡିଟେଲ୍ଡ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର) ଏବଂ ଡିଜାଇନ ନକ୍ସା ପ୍ରସ୍ତୁତ ଲାଗି ସାମାଜିକ କର୍ମୀ ସଞ୍ଜୟ ପଟ୍ଟନାୟକଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଗୁରୁବାର ପଟ୍ଟନାୟକ ଏହି ପ୍ରୋଜେକ୍ଟର ସବିଶେଷ ରିପୋର୍ଟ ସହ ପ୍ରସ୍ତୁତ ନକ୍ସା ଜିଲାପାଳଙ୍କୁ ହସ୍ତାନ୍ତର କରିଛନ୍ତି। ଏହାର ଅଟକଳ ମୂଲ୍ୟ ପ୍ରାୟ ୮୦ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଥିବା ପଟ୍ଟନାୟକ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ୧୯୯୯ ଡିସେମ୍ବର ୬ରେ ଗଡ଼ଖୋର୍ଦ୍ଧା ଛକଠାରେ ଏହିସବୁ ପ୍ରତିମୂର୍ତ୍ତି ସ୍ଥାପନ ହୋଇଥିଲା। ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ତେଣୁ ପ୍ରତିମୂର୍ତ୍ତିକୁ ଅନ୍ୟତ୍ର ସ୍ଥାନାନ୍ତର ନେଇ ବିଭିନ୍ନ ମହଲରୁ ଜିଲା ପ୍ରଶାସନ ନିକଟରେ ଦାବି ହୋଇଥିଲା। ଏ ନେଇ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲାପାଳ ମନୋଜ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ଡ. ଦିଲୀପ ଶ୍ରୀଚନ୍ଦନ, ତହସିଲଦାର ଈପ୍‌ସିତ ସାହୁ, ସାମାଜିକ କର୍ମୀ ସଞ୍ଜୟ ପଟ୍ଟନାୟକ, ନରେନ୍ଦ୍ର ପୃଷ୍ଟି ଏବଂ ୪ ଓ ୬ ନଂ. କାଉନ୍‌ସିଲର ଉପସ୍ଥିତ ଥିଲେ। ଏହି ପଞ୍ଚ ପାଇକଙ୍କ ପ୍ରତିମୂର୍ତ୍ତି ଖୋର୍ଦ୍ଧା ମୌଜାସ୍ଥିତ ପ୍ଲଟ୍‌ ନମ୍ବର ୧୩୧କୁ ସ୍ଥାନାନ୍ତର ଲାଗି ବୈଠକରେ ସ୍ଥିର କରାଯାଇଥିଲା।

Share