ଭୁଶୁଡ଼ିଲା ପଞ୍ଚଲିଙ୍ଗେଶ୍ୱର ପୀଠ ପାହାଚ

ନୀଳଗିରି,୧୪।୧୦(ପ୍ରଶାନ୍ତ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ବଡ଼ ଅଘଟଣରୁ ବର୍ତ୍ତିଯାଇଛନ୍ତି ପର୍ଯ୍ୟଟକ। ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱରକୁ ସଂଯୋଗ କରୁଥିବା ପାହାଚ ଭୁଶୁଡ଼ି ପଡିବାରୁ କିଛି ସମୟ ପାଇଁ ଭକ୍ତମାନେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସ୍ଥାନୀୟ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଗୋଟିଏ ପଟେ ରାସ୍ତା ସିଲ୍‌ କରିବା ସହିତ ଅନ୍ୟ ପଟେ ପାହାଚରେ ଭକ୍ତଙ୍କ ଯିବାଆସିବା ସୁବିଧା କରାଯାଇଥିଲା। ଖୁବଶୀଘ୍ର ମରାମତି ପାଇଁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଉଦ୍ୟମ ଜାରି ରହିଛି।
ଦେବଗିରି ପର୍ବତମାଳାରେ ଏକ ଚିରସ୍ରୋତା ଝରଣାର ରହିଛି। ପଥରଖୋଲ ମଧ୍ୟରେ ଆବିର୍ଭୂତ ହୋଇଥିବା ୫ ଟି ଲିଙ୍ଗଙ୍କୁ ଭକ୍ତ ପୂଜାର୍ଚ୍ଚନା ଓ ଦର୍ଶନ କରିବା ପାଇଁ ଏହି ଝରଣା ଉପରେ ରହିଥିବା ପାହାଚକୁ ଅତିକ୍ରମ କରି ଯାଇଥାନ୍ତି। ପାହାଚର ତଳ ଭାଗରେ ଝରଣା ଜଳରେ ମାଟି ଧସିଯିବା କାରଣରୁ ଭୁଶୁଡ଼ି ଯାଇଥିବା ଅନୁମାନ କରାଯାଇଛି। ତେଣୁ ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ଗୋଟେ ପଟେ ରାସ୍ତାକୁ ସିଲ୍‌ କରାଯାଇଛି। ଖୁବଶୀଘ୍ର ଟ୍ରଷ୍ଟ ପକ୍ଷରୁ ପାହାଚକୁ ମରାମତି କରାଯାଇ ଭକ୍ତଙ୍କ ପାଇଁ ରାସ୍ତା ଛଡ଼ାଯିବ ବୋଲି ଜଣାପଡ଼ିଛି।

Share