ଶ୍ରାବଣ ପ୍ରଥମ ସୋମବାର ପଞ୍ଚଲିଙ୍ଗେଶ୍ୱରରେ କାଉଡ଼ିଆଙ୍କ ଜଳାଭିଷେକ

ନୀଳଗିରି, ୧୮।୭(ସ୍ବ.ପ୍ର.)-ଶ୍ରାବଣର ପ୍ରଥମ ସୋମବାର ଉତ୍ତର ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ବାଲେଶ୍ୱର ଜିଲା ନୀଳଗିରି ନିକଟ ବାବା ପଞ୍ଚଲିଙ୍ଗେଶ୍ୱରଠାରେ ହଜାର ହଜାର କାଉଡିଆ ଜଳାଭିଷେକ କରିଛନ୍ତି। କୋଭିଡ୍‌ କଟକଣା ହଟିଥିବାରୁ ଚଳିତବର୍ଷ ରାଜ୍ୟ ତଥା ରାଜ୍ୟ ବାହାରୁ କାଉଡ଼ିଆ ଓ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା। ବୋଲବମ୍‌…ହର୍‌ହର୍‌ ବମ୍‌ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା। ଶ୍ରଦ୍ଧାଳୁମାନେ ୨୬୩ଟି ପାହାଚ ଚଢ଼ି ମହାଦେବଙ୍କୁ ଜଳାଭିଷେକ କରି ପଥର ଖୋଲରେ ରହିଥିବା ବାବାଙ୍କୁ ସ୍ପର୍ଶ କରିବା ସହ ନିଜର ମନସ୍କାମନା ପୂରଣ ପାଇଁ ପଞ୍ଚଲିଙ୍ଗେଶ୍ୱର ପୀଠରେ ଜଳାଭିଷେକ କରିଥିଲେ। ଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କାଉଡ଼ିଆଙ୍କ ନିମନ୍ତେ ଧାଡ଼ି ବ୍ୟବସ୍ଥା, ପିଇବା ପାଣି, ସ୍ବଚ୍ଛତା ଉପରେ ଗୁରୁତ୍ୱ ଦିଆଯାଇଥିଲା।