ପଞ୍ଚାୟତ ସମିତି ବୈଠକ ବର୍ଜନ କଲେ ସରପଞ୍ଚ, ସଭ୍ୟସଭ୍ୟା

ମୋରଡା,୮।୯(ସ୍ମାରକ ମାଜୀ): ବହୁ ବାଦବିବାଦ ମଧ୍ୟରେ ମୟୂରଭଞ୍ଜ ଜିଲା ମୋରଡା ପଞ୍ଚାୟତ ସମିତିର ଷଷ୍ଠତମ ବୈଠକ ଅନୁଷ୍ଠିତ ହୋଇଯାଇଛି ।  ତବେ ବୈଠକ ଆରମ୍ଭରୁ ବିଭିନ୍ନ ସମସ୍ୟା  ଦେଖାଦେଇଥିଲା। ପ୍ରଥମେ ବ୍ଲକର ୨୦ ପଞ୍ଚାୟତର ସରପଞ୍ଚମାନେ ଏକ ଦାବିପତ୍ର ମୋରଡା ବଡିିଓ ଜୟକୃଷ୍ଣ ପାତ୍ରଙ୍କୁ ଦେବା ପରେ ମୋରଡା ବିଧାୟକ ରାଜକିଶୋର ଦାସଙ୍କ  ଅନୁରୋଧ ସତ୍ୱେ ବୈଠକ ବର୍ଜନ କରିଥିଲେ।
ସେହିପରି ଦୀର୍ଘ ଆଠ ମାସ ପରେ ବୈଠକ ହୋଇଥିବାରୁ ସମିତି ସଭ୍ୟସଭ୍ୟାମାନେ ମଧ୍ୟ ବୈଠକ ବର୍ଜନ କରିଥିଲେ। ଫଳରେ ବୈଠକ ଏକ ଔପଚାରିକତା ଭାବେ ଅନୁଷ୍ଠିତ ହୋଇଛି।
ମୋରଡ଼ା ବ୍ଲକ ଅଧ୍ୟକ୍ଷ ପିଥନାଥ ସୋରେନଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକକୁ ବିଡିଓ ଜୟକୃଷ୍ଣ ପାତ୍ର ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥିଭାବେ ମୋରଡା ବିଧାୟକ ରାଜକିଶୋର ଦାସ, ସହକାରୀ ଯନ୍ତ୍ରୀ ମୋତିଲାଲ ତୁଙ୍ଗ, ଉପାଧ୍ୟକ୍ଷା ଜେମାମଣି ମହାନ୍ତ, ଜିଲା ପରିଷଦ ସଭ୍ୟା ମିନାକ୍ଷୀ ସୋରେନ, ଜିଲା ପରିଷଦ ସଭ୍ୟ ଅଭିରାମ ଭୋଇ, ମୟୁରଭଞ୍ଜ ଏମ୍ପିଙ୍କ ପ୍ରତିନିଧୀ ନଗେନ୍ଦ୍ରନାଥ ନାଏକ,ଜିପିଈଓ ରୁପେଶ ମାଝୀ ଉପସ୍ଥିତ ଥିଲେ।