ମଇଦାନରେ ନଣନ୍ଦ-ଭାଉଜ

ଝାରସୁଗୁଡ଼ା ଅଫିସ,୯ା୨: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଗୋଟିଏ ପରିବାରରୁ ଏକାଧିକ ସଦସ୍ୟ ପ୍ରାର୍ଥୀ ହେଉଛନ୍ତି। ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ୍‌ ରମ୍ପେଲା ପଞ୍ଚାୟତ ସଂସରାଟିକ୍ରା ଗ୍ରାମରେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି। ଏହି ଗ୍ରାମର ଗୋଟିଏ ପରିବାରରୁ ନଣନ୍ଦ ଓ ଭାଉଜ ପ୍ରାର୍ଥୀ ହୋଇଛନ୍ତି। ନଣନ୍ଦ ସଞ୍ଜୁଲତା ସେଠ୍‌ ଲଖନପୁର ବ୍ଲକ୍‌ ୩ ନମ୍ବର ଜୋନ୍‌ରୁ ଭାଜପାରୁ ପ୍ରାର୍ଥୀ ହୋଇଥିବାବେଳେ ଭାଉଜ ତୁଳସୀ ସେଠ୍‌ ରମ୍ପେଲା ପଞ୍ଚାୟତରୁ ସମିତିସଭ୍ୟା ପ୍ରାର୍ଥୀ ହୋଇଛନ୍ତି। ଉଭୟ ଉଚ୍ଚଶିକ୍ଷିତା ହୋଇଥିବା ବେଳେ ଜନପ୍ରତିନିଧି ହୋଇ ଲୋକଙ୍କ ସେବା କରିବା ଲକ୍ଷ୍ୟ ରଖିଥିବା କହିଛନ୍ତି।

ଉଭୟ ନିଜନିଜ ସମର୍ଥକଙ୍କୁ ସାଙ୍ଗରେ ଧରି ନିର୍ବାଚନ ପ୍ରଚାରରେ ବାହାରି ପଡୁଛନ୍ତି। ସକାଳୁ ବାହାରି ରାତିରେ ଘରକୁ ଫେରୁଛନ୍ତି। ସଞ୍ଜୁଲତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିଜେଡି ପ୍ରାର୍ଥିନୀ ନିର୍ବାଚନ ଲଢୁଛନ୍ତି। ପୂର୍ବରୁ ଏଠାରେ ଭାଜପା ପ୍ରାର୍ଥୀ ବିଜୟୀ ହୋଇଥିବାବେଳେ ଏବେ ଗଡରକ୍ଷା ପାଇଁ ଦଳ ଲାଗିପଡିଛି। ସେହିପରି ରମ୍ପେଲା ପଞ୍ଚାୟତରେ ୪ ଜଣ ସମିତିସଭ୍ୟା ପାଇଁ ପ୍ରାର୍ଥୀ ହୋଇଥିବା ବେଳେ ତୁଳସୀଙ୍କୁ କଡା ମୁକାବିଲାର ସମ୍ମୁଖୀନ ହେବାକୁ ପଡିବ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ ଉଭୟ ନଣନ୍ଦ ଓ ଭାଉଜ ମହିଳା ସ୍ବୟଂସହାୟକ ଗୋଷ୍ଠୀରେ ସକ୍ରିୟ ସଦସ୍ୟା। ଭାଉଜ ତୁଳସୀ ଆଞ୍ଚଳିକ ମହାସଂଘ ସମ୍ପାଦିକା ଓ ନଣଦ ସଞ୍ଜୁଲତା ଅମ୍ବିକା ସ୍ବୟଂସହାୟକ ଗୋଷ୍ଠୀର କୋଷାଧ୍ୟକ୍ଷା ରହିଛନ୍ତି। ଏହି ଗୋଷ୍ଠୀ ମାଧ୍ୟମରେ ଉଭୟ ମାଛଚାଷ, ଧାନ କିଣାବିକା ଓ ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରୁଛନ୍ତି। ଜନପ୍ରତିନିଧି ହେଲେ ଲୋକଙ୍କ ପାଇଁ ସେବା କରିବା ସହଜ ହେବ ବୋଲି ଉଭୟ ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି।