ମାଓବାଦୀ ଗଡ଼ରେ ପଞ୍ଚାୟତ ଲଢ଼େଇ

ମାଲକାନଗିରି,୩ା୨ (ଡି.ଏନ.ଏ.) ଏକଦା ମାଓବାଦୀଙ୍କ ଭୟରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳରେ ଗତଥର ବନ୍ଦ ହୋଇଯାଇଥିବା ପଞ୍ଚାୟତ ନିର୍ବାଚନ ଚଳିତବର୍ଷ ହେଉଛି। ଏନେଇ ଏବେ ପ୍ରାର୍ଥୀମାନେ ନିଜ ସପକ୍ଷରେ ପ୍ରଚାର ଚଳାଇଛନ୍ତି। ତେବେ ବର୍ତ୍ତମାନର ସ୍ବାଭିମାନ ଅଞ୍ଚଳ କିଛି ବର୍ଷ ତଳେ ଥିଲା ବିଚ୍ଛିନାଞ୍ଚଳ। ଏହି ବିଚ୍ଛିନାଞ୍ଚଳ ଲାଲବାହିନୀଙ୍କ କବ୍‌ଜାରେ ଥିଲା। ବନ୍ଧୁକ ମୁନର ଭୟ ସହ ପ୍ରଜାକୋର୍ଟର ଶାସନରେ ୧୫୧ ଖଣ୍ଡ ଗ୍ରାମର ଅଞ୍ଚଳବାସୀ ଭୟଭୀତ ହୋଇ ଜୀବନ କାଟୁଥିଲେ। ତେବେ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଭୁଶୁଡିବାକୁ ଲାଗିଲା ଲାଲବାହିନୀର ଦୁର୍ଗ। ଦଶନ୍ଧି ଦଶନ୍ଧି ଧରି ଜଳବନ୍ଦୀ ଜୀବନ କାଟୁଥିବା ଲୋକେ ଦେଖିଲେ ବିକାଶର ନୂଆ ସକାଳ। ଏବେ ସ୍ବାଭିମାନ ଅଞ୍ଚଳର ୯ ପଞ୍ଚାୟତ ଯନ୍ତ୍ରୀ, ପଣସପୁଟ, ଗଜଲମାମୁଡି , ଜୋଡ଼ାମ୍ବ , ପାପରମେଟଲ, ବଡପଡା, ବଡ଼ପଦର, ଧୂଳିପୁଟ, ରାଲେଗେଡାରେ ହେଉଛି ପଞ୍ଚାୟତ ନିର୍ବାଚନ। ୧୫୧ ଗ୍ରାମର ୩୦ ହଜାରରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଆଗାମୀ ଦିନରେ ନିଜ ମତ ସାବ୍ୟସ୍ତ କରିବେ। ପୂର୍ବରୁ ଆମେ ସବୁ ମୁରବୀ ନ ଥିବା ପରିବାର ଭଳି ବଞ୍ଚୁଥିଲୁ। ଆମ ପାଖରେ ଆମ ସମସ୍ୟା ବୁଝିବାକୁ କେହି ନ ଥିଲେ। ଫଳରେ ଆମ ଅଞ୍ଚଳର ବିକାଶ ହେଇପାରୁ ନ ଥିଲା। ବର୍ତ୍ତମାନ ଆମେ ଭୋଟ ଦେବୁ, ଆମ ଅଞ୍ଚଳର ବିକାଶ ଆମେ କରିବୁ ବୋଲି କହନ୍ତି ପାପରମେଟଲା ପଞ୍ଚାୟତର ଦୈତାରି ଗୋଲାରି, ଜାମଜୋଡି ଗ୍ରାମର ଶୁକଦେବ ହନ୍ତାଳ, ଜନ୍ତବାଇ ଗ୍ରାମର ପର୍ଶୁରାମ କିଞ୍ଚଇ ପ୍ରମୁଖ।