ଆଜି ଢିଙ୍କିଆ ନିର୍ବାଚନ, ପୋଲିସ ଛାଉଣୀରେ ପଞ୍ଚାୟତ

କୁଜଙ୍ଗ,୪।୧୦(ମନୋଜ ପ୍ରଧାନ): ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ୍‌ର ବହୁ ଚର୍ଚ୍ଚିତ ଢିଙ୍କିଆ ପଞ୍ଚାୟତର ସରପଞ୍ଚ ଓ ୱାର୍ଡସଭ୍ୟାସଭ୍ୟଙ୍କ ନିମନ୍ତେ ଶୁକ୍ରବାର ଭୋଟ ଗ୍ରହଣ କରାଯିବ। ସକାଳ ୭ ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଅପରାହ୍ନ ୧ଟାରେ ସରିବ। ଏଥିନିମନ୍ତେ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବାବେଳେ ମଧ୍ୟାହ୍ନ ସୁଦ୍ଧା ସମସ୍ତ ପୋଲିଂ ଦଳ ବୁଥ୍‌ରେ ପହଞ୍ଚତ୍ ସାରିଛନ୍ତି। ଶିଳ୍ପ ସପକ୍ଷ ଓ ବିପକ୍ଷକୁ ନେଇ ଏହି ପଞ୍ଚାୟତ ରାଜନୀତି ପ୍ରଭାବିତ। ଅତୀତରେ ବହୁବାର ଉଭୟ ଗୋଷ୍ଠୀ ମୁହଁାମୁହିଁ ହେବାର ନଜିର ରହିଛି। ସେ ଦୃଷ୍ଟିରୁ ଢିଙ୍କିଆ ପଞ୍ଚାୟତ ଉତ୍ତେଜନାପ୍ରବଣ ଅଞ୍ଚଳ ଭାବେ ପରିଚିତ।
୨୬ଟି ୱାର୍ଡ ମଧ୍ୟରୁ ତ୍ରିଲୋଚନପୁରର ୨ଟି ଓ ଢିଙ୍କିଆର ୨ଟି ୱାର୍ଡକୁ ଉତ୍ତେଜନାପ୍ରବଣ ଭାବେ ଚିହ୍ନଟ କରାଯାଇଛି ବୋଲି ଥାନା ଅଧିକାରୀ ରାଜକିଶୋର ବେହେରା କହିଛନ୍ତି। ଏହି ବୁଥ୍‌ଗୁଡ଼ିକରେ ସଶସ୍ତ୍ର ପୋଲିସ ମୁତୟନ କରାଯାଇଛି।
ପଞ୍ଚାୟତରେ ହିଂସାମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ କରିବା ପାଇଁ ୫ ଡିଏସ୍‌ପି, ୧୨ ଇନ୍ସପେକ୍ଟର ପାହ୍ୟା ଅଧିକାରୀ ଉପସ୍ଥିତ ରହି ଆଇନ ଶୃଙ୍ଖଳା ପରିସ୍ଥିତି ଅନୁଧ୍ୟାନ କରିବେ। ଏଥିସହ ହିଂସା ଏଡ଼ାଇବା ପାଇଁ ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପଞ୍ଚାୟତ ଭିତରକୁ ବାହାର ଲୋକ ପ୍ରବେଶକୁ କଡ଼ାକଡି ଯାଞ୍ଚ କରାଯାଉଛି। ଗୁରୁବାର ଜଗତ୍‌ସିଂହପୁରର ଅତିରିକ୍ତ ଏସ୍‌ପି ଅମରେନ୍ଦ୍ର ପଣ୍ଡା ପହଞ୍ଚତ୍ ଆଇନ ଶୃଙ୍ଖଳା ପରିସ୍ଥିତି ଅନୁଧ୍ୟାନ କରିବା ସହ ତିର୍ତ୍ତୋଲ ଏସ୍‌ଡିପିଓ ଚିନ୍ମୟ ରାଉତ, ପାରାଦୀପ ଡିଏସ୍‌ପି ସନ୍ତୋଷ ଜେନା, ଅଭୟଚାନ୍ଦପୁର ଥାନା ଅଧିକାରୀ ରାଜକିଶୋର ବେହେରା, ଇନ୍ସପେକ୍ଟର କୁଳମଣି ସେଠୀ ପ୍ରମୁଖଙ୍କ ସହ ଆଲୋଚନା କରିଛନ୍ତି। ଏଥିସହ ଭୋଟ ଗ୍ରହଣ ନିମନ୍ତେ ନିୟୋଜିତ ସମସ୍ତ ସେକ୍ଟର ଅଫିସରଙ୍କ ସହ ନିର୍ବାଚନ ପରିଚାଳନା ଉପରେ ଆଲୋଚନା କରିଛନ୍ତି।