ଜରାଜୀର୍ଣ୍ଣ ଅବସ୍ଥାରେ ପାନ୍ଥଶାଳା

ଧାମନଗର,୩।୫(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଏନ୍‌ଏସି ଅଧୀନ ଜୟନଗର ଛକଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ପାନ୍ଥଶାଳା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। କୌଣସି ପର୍ଯ୍ୟଟକଙ୍କ କାମରେ ଲାଗୁନାହିଁ। ୨୦ ବର୍ଷ ପୂର୍ବରୁ ନିର୍ମିତ ଧାମନଗର ପାନ୍ଥଶାଳା ଏଯାଏ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ରକ୍ଷଣାବେକ୍ଷଣ ଅଭାବରୁ ପାନ୍ଥଶାଳାର ବାହାର ଓ ଭିତରେ କବାଟ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି। ଏହାର ଚତୁପାର୍ଶ୍ୱରେ ଆବଦ୍ଧ ପାଚେରୀ ଥିବାବେଳେ ଗେଟ୍‌ ଭାଙ୍ଗି ଯାଇଥିବାରୁ ସବୁବେଳେ ଖୋଲା ରହୁଛି।
ପାନ୍ଥଶାଳାରୁ ମାତ୍ର ଅଳ୍ପ ଦୂରରେ ଭାରତ ପ୍ରସିଦ୍ଧ ପୀରବାବା ହଜରତ ମୁଜାହିଦ୍‌-ଏ-ମିଲ୍ଲତଙ୍କ ଖାନକା ସରିଫ ରହିଥିବା ବେଳେ ଓଡ଼ିଶାର ଶେଷ ସ୍ବାଧୀନ ରାଜା ଗଜପତି ମୁକୁନ୍ଦଦେବଙ୍କ ଅନ୍ତିମ ସଂଗ୍ରାମ କ୍ଷେତ୍ର ଐତିହାସିକ ଗୋହିରାଟିକିରି ଅବସ୍ଥାପିତ। ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠ ସହ ଶହୀଦନଗରଠାରେ ଶହୀଦ ପୀଠ ଭଳି ଐତିହାସିକ ସ୍ଥାନ ରହିଛି। ଏହିସବୁ ପାରିପାର୍ଶ୍ୱିକ ସ୍ଥିତିକୁ ଲକ୍ଷ୍ୟ ରଖି ୨୦ବର୍ଷ ତଳେ ଧାମନଗରର ତତ୍କାଳୀନ ବିଧାୟକ ସ୍ବର୍ଗତ ମାନସ ରଞ୍ଜନ ମଲ୍ଲିକଙ୍କ ପ୍ରଚେଷ୍ଟାରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଅନୁଦାନରେ ଧାମନଗରରେ ଏହି ପାନ୍ଥଶାଳା ନିର୍ମାଣ ହୋଇଥିଲା। ୨୦୧୮ରେ ଧାମନଗର ଏନ୍‌ଏସି ଘୋଷଣା ପରେ ତତ୍କାଳୀନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ପ୍ରଚେଷ୍ଟାରେ ସରକାରୀ ଅନୁଦାନରେ ଏହି ପାନ୍ଥଶାଳାର ନବକଳେବର ହୋଇଥିଲା। ଏତେ ପରେ ମଧ୍ୟ ଏଯାଏ ପାନ୍ଥଶାଳା କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ପରିତ୍ୟକ୍ତ ଅବସ୍ଥାରେ ରହିଛି। ଫାଟକ ଭାଙ୍ଗି ଯାଇଥିବା ଯୋଗୁ ଖୋଲା ରହୁଥିବାରୁ ରାତି ହେଉ ବା ଦିନ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଏହି ପାନ୍ଥଶାଳା। ବାରମ୍ବାର ମରାମତି ଆଳରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ପରେ ମଧ୍ୟ ପାନ୍ଥଶାଳା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିବା ସହ ଯାତ୍ରୀଙ୍କ କାମରେ ନ ଆସିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ଜିଲା ପ୍ରଶାସନ ପକ୍ଷରୁ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଗଲେ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀମାନେ ବିଶେଷ ଉପକୃତ ହୋଇପାରିବେ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏ ସମ୍ପର୍କରେ ଡେପୁଟୀ କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ କହିଛନ୍ତି, ପର୍ଯ୍ୟଟନ ବିଭାଗକୁ ଚିଠି କରାଯାଇଛି। ସମ୍ପୂର୍ଣ୍ଣ ବିବରଣୀ ହସ୍ତଗତ ହେବା ପରେ ପଦକ୍ଷେପ ନିଆଯିବ।

Share