ପଞ୍ଚାୟତ ଜନ ପ୍ରତିନିଧିଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ: ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨।୬(ବ୍ୟୁରୋ): ଓଡ଼ିଶାରେ ନବ ନିର୍ବାଚିତ ପଞ୍ଚାୟତ ଜନପ୍ରତିନିଧିଙ୍କର ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ଦିଆଯିବ। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ । ଏହି ଅବସରରେ ରାଜ୍ୟର ସମସ୍ତ ଜିଲା ପରିଷଦ ସଭାପତି, ଉପସଭାପତି, ପଞ୍ଚାୟତ ସମିତି ଅଧ୍ୟକ୍ଷ ଏବଂ ପ୍ରତ୍ୟେକ ବ୍ଲକରୁ ଜଣେ ସରପଞ୍ଚଙ୍କୁ ତାଲିମ ଦିଆଯିବ। ଏନେଇ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଭୁବନେଶ୍ବର କିଟ୍‌ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ।

ରାଜ୍ୟର ନବ ନିର୍ବାଚିତ ସମସ୍ତ ୧,୦୬,୩୫୨ ପଞ୍ଚାୟତ ଜନ ପ୍ରତିନିଧିଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୬ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ଜିଲା ପରିଷଦ ସଭାପତିଙ୍କ ନିମନ୍ତେ ୨ ଦିନ, ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା ସଦସ୍ୟଙ୍କ ନିମନ୍ତେ ୩ ଦିନ, ସରପଞ୍ଚଙ୍କ ନିମନ୍ତେ ୫ ଦିନ ଏବଂ ୱାର୍ଡ ସଦସ୍ୟଙ୍କ ନିମନ୍ତେ ୩ ଦିନର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମଗୁଡ଼ିକ ଆଗାମୀ ଦିନରେ ରାଜ୍ୟ ଓ ଜିଲାସ୍ତରରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

Share