ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ହେଉଛି। ପର୍ଯ୍ୟାୟକ୍ରମେ ଏହା ଆଗକୁ ବଢ଼ିବ ଏବଂ ଚଳିତ ମାସ ଶେଷ ସୁଦ୍ଧା ନୂଆ ସରପଞ୍ଚଙ୍କୁ ଦେଖିବ ରାଜ୍ୟର ୬୨୩୪ ପଞ୍ଚାୟତ। ଗାଁର ଦେଶ ଭାରତ। ଗାଁ ଉପରେ ନିର୍ଭର କରେ ଦେଶର ଖାଦ୍ୟାବସ୍ଥା ଓ ଅର୍ଥନୀତି।
ଗଁାର ବିକାଶ ହିଁ ଦେଶର ବିକାଶ। ଗାଁରୁ ଶାସନ ଆରମ୍ଭ ନ ହେଲେ ସଫଳ ହେବନି ଗଣତନ୍ତ୍ର।
ଏପରି ଏକ ବିଚାରଧାରାରୁ ଜନ୍ମ ନେଇଥିଲା ଗାନ୍ଧିଜୀଙ୍କ ଗ୍ରାମ ସ୍ବରାଜ୍ୟ ସ୍ବପ୍ନ। ଗ୍ରାମ ସ୍ବରାଜ୍ୟ କହିଲେ ଗାନ୍ଧିଜୀ ବୁଝିଥିଲେ ଦେଶର ୭ଲକ୍ଷ ଗାଁ ହେବ ୭ଲକ୍ଷ ସାଧାରଣତନ୍ତ୍ର। ଏଠାରେ ଅନୁଭୂତ ହେବ ପ୍ରତ୍ୟକ୍ଷ ଗଣତନ୍ତ୍ରର ସ୍ବାଦ। ଶାସନ ଓ ବିକାଶ ପ୍ରକ୍ରିୟାରେ ସମସ୍ତେ ଭାଗନେବେ, ମତ ଦେବେ ଏବଂ ଗ୍ରାମସଭାରେ ବସି ନିଷ୍ପତ୍ତି ନେବେ ସମୂହଭାବେ।
ସେମାନେ ଏକାଠି ହୋଇ ଏଭଳି ପ୍ରତିନିଧି ବାଛିବେ, ଯିଏ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବେ ଏବଂ ଉତ୍ତରଦାୟୀ ରହିବେ ପଞ୍ଚାୟତ ପାଖରେ।
ଗାନ୍ଧିଜୀଙ୍କ ଦୃଷ୍ଟିରେ ଦେଶର ସ୍ବାଧୀନତା ଓ ଗ୍ରାମ୍ୟ ବିକାଶ ଥିଲା ମୁଦ୍ରାର ଦୁଇଟି ପାର୍ଶ୍ୱ । ସ୍ବାଧୀନତା ପ୍ରାପ୍ତିର ବହୁ ପୂର୍ବରୁ ଏକଥା ସେ ଲେଖିଥିଲେ ତାଙ୍କ ‘ହିନ୍ଦ୍ ସ୍ବରାଜ’ ଗ୍ରନ୍ଥରେ। ମାତ୍ର ବିଡ଼ମ୍ବନାର ବିଷୟ ଗାନ୍ଧିଜୀଙ୍କର ଏହି ବଚାରଧାରାକୁ ସ୍ବାଧୀନ ଭାତରରେ ମିଳିଲାନି ପ୍ରାଥମିକତା। ଗ୍ରାମ ସ୍ବରାଜ୍ୟ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସମ୍ବିଧାନର ନିର୍ଦ୍ଦେଶମୂଳକ ନୀତି ୪୦ ଧାରାରେ ଅନ୍ତର୍ଭୁକ୍ତ କରାଗଲା, ଯାହାଥିଲା ରାଜ୍ୟଗୁଡ଼ିକର ଇଚ୍ଛାଧୀନ ବିଷୟ। ଭାରତଭଳି ଏକ ବିରାଟ ଦେଶରେ ଶାସନ ବ୍ୟବସ୍ଥା କେବଳ ଦିଲ୍ଲୀ କିମ୍ବା ରାଜ୍ୟ ରାଜଧାନୀରୁ ନିୟନ୍ତ୍ରିତ ଓ ପରିଚାଳିତ ନ ହୋଇ କ୍ଷମତାର ବିକେନ୍ଦ୍ରୀକରଣର ଆବଶ୍ୟକତା ପରବର୍ତ୍ତୀ ସମୟରେ ଅନୁଭୂତ ହେଲା ଏବଂ ସେଥିପାଇଁ ୧୯୫୭ରେ ଗଠନ ହେଲା ବଳବନ୍ତରାୟ ମେହେଟ୍ଟା କମିଟି। ଏହି କମିଟିର ରିପୋର୍ଟ ଆଧାରରେ ୧୯୫୯ ଅକ୍ଟୋବର ୨ (ଗାନ୍ଧୀ ଜୟନ୍ତୀ)ରୁ ଦେଶରେ କାର୍ଯ୍ୟକାରୀ ହେଲା ପଞ୍ଚାୟତିରାଜ ବ୍ୟବସ୍ଥା। କିନ୍ତୁ ଏହାର ଆଇନଗତ ଉତ୍ତର ଦାୟିତ୍ୱ ରାଜ୍ୟସରକାରଙ୍କ ଉପରେ ନ୍ୟସ୍ତ ଥିବାରୁ ନିର୍ଦ୍ଦିଷ୍ଟ ବ୍ୟବଧାନରେ ନିର୍ବାଚନ ହେଲାନାହିଁ କି ସଶକ୍ତ ହୋଇ ପାରିଲାନି ପଞ୍ଚାୟତିରାଜ ବ୍ୟବସ୍ଥା। ଏହାକୁ ଦୃଷ୍ଟିରେ ରଖି ୧୯୮୯ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ପାର୍ଲାମେଣ୍ଟରେ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କଲେ, ଯାହା ବହୁ ଘାତ ପ୍ରତିଘାତ ପରେ ଆଇନରେ ପରିଣତ ହେଲା ଏବଂ ସେବେଠୁ ଗଣତନ୍ତ୍ରରେ ଯୋଡ଼ି ହୋଇଗଲା ଏକ ନୂଆ ଅଧ୍ୟାୟ।
ଏହି ପରିପ୍ରେକ୍ଷୀରେ ଉଲ୍ଲେଖନୀୟ ବିଷୟ ହେଉଛି ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ସମଗ୍ର ଦେଶରେ କାର୍ଯ୍ୟକାରୀ ହେବାର ପ୍ରାୟ ଅଢ଼େଇବର୍ଷ ପୂର୍ବରୁ ଓଡ଼ିଶାରେ କାର୍ଯ୍ୟକାରୀ ହୋଇସାରିଥିଲା ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ। ବିଜୁବାବୁ ରାଜ୍ୟ ଆଇନରେ ବ୍ୟାପକ ସଂଶୋଧନ ଆଣିବା ସହିତ ପଞ୍ଚାୟତ ନିର୍ବାଚନରେ ୩୩ ଭାଗ ଆସନ ସଂରକ୍ଷଣ ବ୍ୟବସ୍ଥା କରିଥିଲେ ମହିଳା ସଶକ୍ତୀକରଣ ଲକ୍ଷ୍ୟରେ। ତଦନୁଯାୟୀ ୧୯୯୨ରେ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ହେଲା ଏବଂ ସେବେଠାରୁ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ପୁନର୍ଜନ୍ମ ଲାଭ କଲା ଏକ ନୂଆ ରୂପରେ । ଏହି ବ୍ୟବସ୍ଥା ଦ୍ୱାରା ପ୍ରକଟ ହେଲା ଲୋକଙ୍କର ପ୍ରତ୍ୟକ୍ଷ ସମ୍ପୃୃକ୍ତିରେ ସାମାଜିକ, ଅର୍ଥନୈତିକ ଏବଂ ବୌଦ୍ଧିକ ବିକାଶ ଲାଗି ବିଶ୍ୱାସ।
ପଞ୍ଚାୟତିରାଜ ବ୍ୟବସ୍ଥାରେ ଗ୍ରାମାଞ୍ଚଳର ପ୍ରଗତି ଏକ ପୁରୁଣା ଖସଡ଼ା। ଏହି ବ୍ୟବସ୍ଥା ଜରିଆରେ ଗ୍ରାମାଞ୍ଚଳରୁ ଦାରିଦ୍ର୍ୟ, ନିରକ୍ଷରତା, ଅପପୁଷ୍ଟି ଓ ଅନ୍ୟାନ୍ୟ ଅସୁବିଧା ଦୂର କରିବା ଲକ୍ଷ୍ୟରେ ପଞ୍ଚାୟତ ହାତରେ ଅର୍ପଣ କରାଯାଇଛି ପ୍ରଭୂତ କ୍ଷମତା। ବିକାଶମୂଳକ କାର୍ଯ୍ୟ ପାଇଁ ପଞ୍ଚାୟତକୁ ଯୋଗେଇ ଦିଆଯାଇଛି ପର୍ଯ୍ୟାପ୍ତ ପାଣ୍ଠି। ଏହା ସତ୍ତ୍ୱେ ବି ତ୍ୱରାନ୍ବିତ ହୋଇପାରୁନି ବିକାଶର ଗତି। ଭୌତିକ ବିକାଶ ଦୃଷ୍ଟିରୁ ଗାଁ କିଛିଟା ଆଗକୁ ଯାଇଛି ସତ ହେଲେ ଧୀରେ ଧୀରେ ସେ ହରେଇ ବସୁଛି ପ୍ରାଚୁର୍ଯ୍ୟମୟ ଜୀବନବୋଧର ଦୁର୍ଲ୍ଲଭ ଐଶ୍ୱର୍ଯ୍ୟ। ଗାଁରେ ମାଟି ସଡ଼କ ପରିବର୍ତ୍ତେ ପକ୍କା ସଡ଼କ ହୋଇଛି ଏବଂ ନଡ଼ାଛପର ଘର ସ୍ଥାନରେ ଛିଡ଼ା ହୋଇଛି ମାଳ ମାଳ ପକ୍କା ଘର ହେଲେ ଏସବୁ ଭିତରେ ହଜିଯାଇଛି ଗଁାର ସବୁଜିମା। ଭୋଟ ରାଜନୀତିକୁ କେନ୍ଦ୍ରକରି ଗାଁରେ ସୃଷ୍ଟି ହୋଇଛି ହଜାରେ ଫାଟ। ମାଗଣାଖିଆ ଯୋଜନା ମାୟାରେ ପଡ଼ି ଲୋକେ ଭୁଲିଗଲେଣି ଆପଣା କର୍ମ ସଂସ୍କୃତି।
ଆଙ୍ଗିକ ବିକାଶ ସହିତ ଗାଁରେ ସୌହାଦ୍ଦ୍ୟପୂର୍ଣ୍ଣ ବାତାବରଣ ଗଢ଼ିତୋଳିବା ଗ୍ରାମପଞ୍ଚାୟତର କାମ। ଏଥିପାଇଁ ଆବଶ୍ୟକ ଜନସଚେତନତା ଓ ଉପଯୁକ୍ତ ନେତୃତ୍ୱ। ଗ୍ରାମପଞ୍ଚାୟତର ନେତୃତ୍ୱ କହିଲେ – ମୁଖ୍ୟତଃ ଆଖିଆଗକୁ ଆସନ୍ତି ‘ସରପଞ୍ଚ’। ବିଜୁବାବୁଙ୍କ ଭାଷାରେ ସରପଞ୍ଚମାନେ ହିଁ ପଞ୍ଚାୟତର ମୁଖ୍ୟମନ୍ତ୍ରୀ। ସେମାନଙ୍କ ନିଷ୍ଠା, ନିରପେକ୍ଷତା ଓ ଦକ୍ଷତା ଉପରେ ନିର୍ଭର କରେ ପଞ୍ଚାୟତର ବିକାଶ।
ମାତ୍ର ଆଜିକାଲି କାହାନ୍ତି ସେଭଳି ସରପଞ୍ଚ। ଯିଏ ମଦ, ମାଂସ ଓ ଟଙ୍କା ବାଣ୍ଟି ଭୋଟ ମାଗୁଛି, ତାଙ୍କ ଦ୍ୱାରା କ’ଣ ସମ୍ଭବ ହେବ ଗାଁର ଉନ୍ନତି? ଦୁର୍ଭାଗ୍ୟର ବିଷୟ ଏବେ ନିର୍ବାଚନ ମଇଦାନରେ ସେଭଳି ସ୍ବାର୍ଥପର ପ୍ରାର୍ଥୀଙ୍କ ସଂଖ୍ୟା ବେଶି। ସେମାନଙ୍କୁ ପ୍ରୋତ୍ସାହିତ କରୁଛି ବ୍ୟୟବହୁଳ ନିର୍ବାଚନ ବ୍ୟବସ୍ଥା। ଆଗେ ୮୦ହଜାର ଟଙ୍କାରେ ସୀମିତ ଥିଲା ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ଖର୍ଚ୍ଚର ପରିମାଣ। ଏବେ ତାହା ୨ଲକ୍ଷକୁ ବଢ଼େଇ ଦିଆଯାଇଛି ଅବିଚାରିତ ଭାବରେ। ଜଣେ ସରପଞ୍ଚ ପ୍ରାର୍ଥୀ ପଞ୍ଚାୟତର ମୌଳିକ ସମସ୍ୟା ସମାଧାନ ଦିଗରେ ନିଜର ପ୍ରତିବଦ୍ଧତା ସମ୍ପର୍କରେ ଲୋକଙ୍କୁ ଅବଗତ କରେଇବାର ଆବଶ୍ୟକତା ରହିଛି ଏବଂ ସେଇ ଜଣେଇବାର ମାଧ୍ୟମକୁ କୁହାଯାଏ ନିର୍ବାଚନ ପ୍ରଚାର। ମାତ୍ର ଏଥିପାଇଁ କ’ଣ ୨ଲକ୍ଷ ଟଙ୍କା ଆବଶ୍ୟକ? ଗୋଟେ ପଞ୍ଚାୟତ ଭିତରେ କେମିତି ଖର୍ଚ୍ଚ ହୋଇପାରିବ ଏତେ ଟଙ୍କା? ଅଥଚ ସରକାରଙ୍କର ଏହି ନିଷ୍ପତ୍ତିକୁ ନେଇ ସମସ୍ତେ ନୀରବ। ଲୋକଙ୍କ ମୁହଁରୁ ଶୁଭୁନି ପ୍ରତିବାଦର ସ୍ବର। ରାଜନୈତିକ ଦଳଗୁଡ଼ିକ ପାଇଁ ଏହା ଖୁସିର ବିଷୟ ହୋଇପାରେ, କିନ୍ତୁ ଏଭଳି ବ୍ୟୟବହୁଳ ନିର୍ବାଚନରେ ପ୍ରାର୍ଥୀ ହେବାକୁ ସାହସ ଜୁଟେଇ ପାରୁନାହାନ୍ତି ଅନେକ ଯୋଗ୍ୟ ବ୍ୟକ୍ତି ।
ଦଳମୁକ୍ତ ପଞ୍ଚାୟତ ନିର୍ବାଚନ ଗ୍ରାମାଞ୍ଚଳର ବିକାଶ ପାଇଁ ଏକ ଆହ୍ବାନ। ଏହି ଦୃଷ୍ଟିରୁ ବିଚାର କଲେ ରାଜନୈତିକ ବିବାଦରୁ ପଞ୍ଚାୟତକୁ ଦୂରେଇ ରଖିବା ପାଇଁ ସରପଞ୍ଚ ପ୍ରାର୍ଥୀଙ୍କୁ ଦଳୀୟ ଚିହ୍ନ ଦିଆଯାଇନି ସତ, ହେଲେ ତାଙ୍କ ପଛରେ ଦଳର ସମର୍ଥନ ଥାଏ ଏବଂ ତାଙ୍କୁ ଜିତେଇବା ପାଇଁ କଳ ବଳ ପ୍ରୟୋଗ କରେ ଦଳ। ମହିଳାଙ୍କ ପାଇଁ ଅଧିକ ବ୍ୟାପକ ହୋଇଛି ସଂରକ୍ଷଣ ବ୍ୟବସ୍ଥା। ମାତ୍ର ସେମାନଙ୍କୁ ଢାଲ କରି ସ୍ଥଳ ବିଶେଷରେ ସ୍ବାମୀ, ଶ୍ୱଶୁର, ବାପା ଓ ଭାଇମାନେ ଜାହିର କରୁଛନ୍ତି କ୍ଷମତା। ଏହା ନାରୀ ସଶକ୍ତୀକରଣ ନା ସେମାନଙ୍କୁ ଭୁଲେଇବାର ଏକ ପ୍ରହସନ।
ଗଁା ଲୋକମାନେ ଏକାଠି ବସି ଗାଁର ବିକାଶ ସମ୍ପର୍କରେ ନିଷ୍ପତ୍ତି ନେବେ, ନିଜ ଭାଗ୍ୟ ନିଜେ ଗଢ଼ିବେ – ଏହାହିଁ ଥିଲା ପଲ୍ଲିସଭା ପରିକଳ୍ପନାର ମୂଳକଥା। ମାତ୍ର ନେତୃତ୍ୱ ଯେଉଁଠି ସ୍ବାର୍ଥସର୍ବସ୍ବ ଓ ଗୋଡ଼ାଣିଆ ସେଠାରେ ଲୋକମତ ପରିବର୍ତ୍ତେ ନିଷ୍ପତ୍ତି ନିଆଯାଏ ଦଳୀୟ ନିର୍ଦ୍ଦେଶ ଆଧାରରେ। ଏହି କାରଣରୁ ରାଜନୈତିକ ଦଳଗୁଡ଼ିକ ଭିତରେ ଲାଗିଥିବା କ୍ଷମତା ଯୁଦ୍ଧକୁ ନେଇ ବାଧାପ୍ରାପ୍ତ ହେଉଛି ଗାଁର ବିକାଶ।
ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଫଳରୁ ବଞ୍ଚିତ ହେଉଛନ୍ତି ଅନେକ ଯୋଗ୍ୟ ହିତାଧିକାରୀ। ଉପରୋକ୍ତ ପ୍ରେକ୍ଷାପଟରେ ଗ୍ରାମାଞ୍ଚଳରେ ବିକାଶ ପାଇଁ ଯୋଗ୍ୟ ସରପଞ୍ଚ ବାଛିବା ଗ୍ରାମବାସୀଙ୍କର ଦାୟିତ୍ୱ। ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ. ଅବଦୁଲ କଲାମ୍ଙ୍କ ମତରେ – ”ଭାରତବର୍ଷ ଦରକାର କରେ ପ୍ରତି ପଞ୍ଚାୟତରେ ଜଣେ ଜଣେ ସୃଜନଶୀଳ ନେତା, ଯିଏ ସିଂହାସନରେ ନ ବସି ସାଧାରଣ ଲୋକଙ୍କ ସାଙ୍ଗରେ ବସିବେ, ଆମ ପାଇଁ ଉତ୍ତରଦାୟୀ ରହିବେ ଏବଂ ରୋଲ୍ ମଡେଲ୍ ହୋଇ ଅବସ୍ଥାନ କରିବେ ଆମ ହୃଦୟରେ।“ ସତରେ ଲାଞ୍ଚ ଦେଇ ନିର୍ବାଚିତ ହେଉଥିବା ପ୍ରାର୍ଥୀ ନୁହେଁ, ଗ୍ରାମବାସୀଙ୍କ ସୁଖ ଦୁଃଖରେ ଠିଆ ହୋଇଥିବା ଲୋକଟି ହିଁ ସରପଞ୍ଚ। ସେଭଳି ପ୍ରାର୍ଥୀ ନିର୍ବାଚିତ ହେଲେ ତ୍ୱରାନ୍ବିତ ହେବ ବିକାଶ ପ୍ରକ୍ରିୟା। ଅନ୍ୟଥା ଦୁର୍ବଳ ହୋଇପଡ଼ିବ ପଞ୍ଚାୟତିରାଜ ବ୍ୟବସ୍ଥା। ତଳସ୍ତରର ବ୍ୟବସ୍ଥା ହୁଗୁଳି ଗଲେ ଭୁଶୁଡ଼ି ପଡ଼ିବ ସମୁଦାୟ ଶାସନ।
ଅଧ୍ୟକ୍ଷ, ଫୁଲମତୀ ହେମ୍ବ୍ରମ୍ ମହାବିଦ୍ୟାଳୟ
ପଡ଼ିଆବେଡ଼ା, ମୟୂରଭଞ୍ଜ
ମୋ: ୬୩୭୧୬୪୨୪୬୪