ଶୂନ୍ୟବ୍ରହ୍ମଙ୍କୁ ଆରାଧନା କଲେ ୫୦ ହଜାର ଶ୍ରଦ୍ଧାଳୁ

ଖଇରା,୨୮।୧୧(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକର କୁପାରୀସ୍ଥିତ ଐତିହାସିକ ଶୂନ୍ୟମଣ୍ଡପରେ ପଞ୍ଚୁକ ମେଳା ସୋମବାର ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର ସମେତ ଆଖପାଖ ଜିଲାରୁ ୫୦ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଶୂନ୍ୟମଣ୍ଡପରେ ପଦାର୍ପଣ କରି ଶୂନ୍ୟମନ୍ଦିର ଦର୍ଶନ କରିବା ସହ ଶୂନ୍ୟବ୍ରହ୍ମଙ୍କୁ ଆରାଧନା କରିଛନ୍ତି ା ପ୍ରତ୍ୟୁଷରୁ ଶ୍ରଦ୍ଧାଳୁମାନେ ମଧୁସାଗରରେ ସ୍ନାନ କରିବା ପରେ ଶୂନ୍ୟବ୍ରହ୍ମ ତଥା ଦିବଙ୍ଗତ ପ୍ରଭାକର ବାବାଙ୍କୁ ଆରଧନା ସହ ସମାଧି ମନ୍ଦିର ଦର୍ଶନ କରିଥିଲେ। ଦିବସବ୍ୟାପୀ ଯଜ୍ଞକର୍ମର ଆୟୋଜନ କରାଯାଇଥିଲା। ସଞ୍ଚାଳକ ରାଜୁ ବାବା ଧାଡିରେ ଆସୁଥିବା ଭକ୍ତମାନଙ୍କୁ ଆଶିଷ ପ୍ରଦାନ କରିଥିଲେ। ଏହି ଅବସରରେ ୫ଲକ୍ଷ ଟଙ୍କା ବ୍ୟୟରେ ପୁନନିର୍ମିତ ରୋଷେଇଶାଳକୁ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଉଦ୍‌ଘାଟନ କରିଥିଲେ। ପରିଚାଳନା କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ଗୁପ୍ତା, ସମ୍ପାଦକ କ୍ଷୀରୋଦ କୁମାର ମହାରଣା, ସଭ୍ୟ ସଞ୍ଜୀବ କୁମାର ଜେନା, ସମିତିସଭ୍ୟ ଅକ୍ଷୟ କୁମାର ଜେନା, କଳିଙ୍ଗ ସ୍ବାଇଁ, ସ୍ବରୂପ କୁମାର ବେହେରା, ବିଭୂତି ଭୂଷଣ ରାଉତ ପ୍ରମୁଖ ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ। କୁପାରୀ ହାଇସ୍କୁଲ ଜୁନିୟର ରେଡକ୍ରସ, ହରେକୃଷ୍ଣ ମହତାବ ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥାର ସ୍ବେଚ୍ଛାସେବୀ, ଜନହିତ ଯୁବକ ସଂଘ, ଶୂନ୍ୟବ୍ରହ୍ମ ଡ୍ରାଇଭର ସଂଘ, କୁପାରୀ ଦେବାଳୟ ସଂଘ ବିଭିନ୍ନ ଦାୟିତ୍ୱ ନିର୍ବାହ କରିଥିଲେ। ସିମୁଳିଆ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ହିମାଂଶୁ ଶେଖର ବେହେରା ସାଥୀମାନଙ୍କ ସହ ପ୍ରସାଦ ବଣ୍ଟନ କରିଥିଲେ। ଭାଜପା ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ ଏବଂ ରାଜ୍ୟ ମାନବ ସମ୍ବଳ, ସଂସ୍କୃତି ବିଭାଗ ସମ୍ପାଦକ ଶଶିକୁମାର ସାହୁ ଶୂନ୍ୟବ୍ରହ୍ମଙ୍କୁ ଭକ୍ତିପୂତ ପ୍ରଣାମ ଜଣାଇଥିଲେ।