ନୋଏଡ଼ା,୨୧ା୧୦: ୨୦୦୬ର ସମ୍ବେଦନଶୀଳ ନିଠାରି ସିରିଏଲ୍ ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ମନିନ୍ଦର ସିଂ ପାନ୍ଧେର୍ ଶୁକ୍ରବାର ଗ୍ରେଟର ନୋଏଡ଼ାର ଲୁକ୍ସାର ଜେଲ୍ରୁ ମୁକୁଳିଛନ୍ତି। ନିଠାରି ମାମଲାରେ ଆବଶ୍ୟକ ତଥ୍ୟ ପ୍ରମାଣ ଅଭାବରୁ ଆଲ୍ଲାହାବାଦ ହାଇକୋର୍ଟ ପାନ୍ଧେର ଓ ତାଙ୍କ ଘରୋଇ ସହାୟକ ସୁରେନ୍ଦ୍ର କୋଲିଙ୍କୁ ସୋମବାର ଦୋଷମୁକ୍ତ କରିଥିଲେ। ଉଭୟଙ୍କ ବିରୋଧରେ ବଳାତ୍କାର ଓ ହତ୍ୟା ମାମଲା ରୁଜୁ ହେବା ସହ ତଳକୋର୍ଟ ଦ୍ୱାରା ସେମାନଙ୍କୁ ମୃତ୍ୟୁଦଣ୍ଡାଦେଶ ମିଳିଥିଲା। କୋର୍ଟ ନିର୍ଦ୍ଦେଶନାମା ପାଇବା ପରେ ଔପଚାରିକତା ଶେଷ ହେବା ପରେ ପାନ୍ଧେରଙ୍କୁ ମୁକ୍ତ କରାଗଲା ବୋଲି ଲୁକ୍ସାର ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ପ୍ରତାପ ସିଂ କହିଛନ୍ତି। ଗାଜିଆବାଦର ଦସନା ଜେଲରେ ଥିବା ମୁଖ୍ୟ ଅଭିଯୁକ୍ତ କୋଲି ଅନ୍ୟ ମାମଲାରେ ଆଜୀବନ ଜେଲ ଦଣ୍ଡାଦେଶ ପାଇଥିବାରୁ ତାଙ୍କୁ ମୁକ୍ତ କରାଯାଇ ନାହିଁ। ୨୦୦୬ ଡିସେମ୍ବର ୨୯ରେ ପାନ୍ଧେରଙ୍କ ଘର ପଛପାର୍ଶ୍ୱ ଡ୍ରେନ୍ରୁ ୮ ନାବାଳିକାଙ୍କ କଙ୍କାଳ ମିଳିବା ପରେ ଏହି ବଳାତ୍କାର ଓ ହତ୍ୟା ମାମଲା ସାମ୍ନାକୁ ଆସିଥିଲା।