ବର୍ଷାରେ ଧୋଇଗଲା ପାଣ୍ଡିଆବିଲି ରାସ୍ତା

ଜଟଣୀ,୨୮ା୭(ରବୀନ୍ଦ୍ର ନାଥ ମହାକୁଡ଼): ଲଘୁଚାପଜନିତ ବର୍ଷା ଯୋଗୁ ବୁଧବାର ସନ୍ଧ୍ୟାରେ ଜଟଣୀ ବ୍ଲକ  ବେଣାପଞ୍ଜରୀ ପଞ୍ଚାୟତ ଅନ୍ତର୍ଗତ ପାଣ୍ଡିଆବିଲିକୁ ଯାଇଥିବା ରାସ୍ତା ଧୋଇଯାଇଛି। ଫଳରେ ପୁରୀ ଜିଲା କଣାସ, ଡେଲାଙ୍ଗ ଓ ଖୋର୍ଦ୍ଧା ଜିଲା ଜଟଣୀ ବ୍ଲକର କେତେକ ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଏଥିସହ ଉକ୍ତ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି।
ପୁରୀ ଓ ଖୋର୍ଦ୍ଧା ଜିଲାର ପ୍ରାୟ ୫୦ଟି ଗ୍ରାମର ଲୋକେ ଯାତାୟାତ ପାଇଁ ଉକ୍ତ ରାସ୍ତା ଉପରେ ନିର୍ଭର କରିଥାନ୍ତି। ତେବେ ବର୍ଷାରେ ରାସ୍ତା ଧୋଇଯିବା ପରେ ବିଭିନ୍ନ କାର୍ଯ୍ୟ ପାଇଁ ଜଟଣୀ ସହରକୁ ଆସିବା ପାଇଁ ଉକ୍ତ ଗ୍ରାମବାସୀଙ୍କୁ ୨୫ କିଲୋମିଟର ବୁଲି ଆସିବାକୁ ପଡୁଛି। ଏପରିକି ସ୍କୁଲ ଯିବା ପାଇଁ ପିଲାମାନେ ହଇରାଣ ହେଉଛନ୍ତି। ଏ ସମ୍ପର୍କରେ ଜଟଣୀ ବିଡିଓ ସରୋଜ କୁମାର ରାଉତ କହିଛନ୍ତି, ବର୍ଷାରେ ଉକ୍ତ ରାସ୍ତା ଧୋଇଯାଇଥିବା ବେଳେ ପ୍ରଶାସନ ସଜାଗ ରହିଛି। ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କ ଯାତାୟାତ ପାଇଁ ମୋଟର ବୋଟ୍‌ ଏବଂ ଲାଇଫ ଜ୍ୟାକେଟର ବ୍ୟବସ୍ଥା କରାଯାଇଛି। ତେବେ ଦୟାନଦୀରେ ଜଳସ୍ତର ବଢ଼ିଲେ ମୋଟର ବୋଟ୍‌ ଯାତାୟାତ କରିପାରିବ ବୋଲି ରାଉତ କହିଛନ୍ତି। ଅନ୍ୟପକ୍ଷରେ ପାଣ୍ଡିଆବିଲିକୁ ଯିବା ପାଇଁ ଦୟାନଦୀରେ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଥିବା ବେଳେ ଏଠାରେ ବ୍ରିଜ୍‌ କରାଯିବା ପାଇଁ ବହୁ ବର୍ଷଧରି ଦାବି ହୋଇଆସୁଅଛି। ଘୋରଡିଆଠାରେ ଏକ ବ୍ରିଜ ନିର୍ମାଣ ହେଉଥିବାରୁ ପାଣ୍ଡିଆବିଲିଠାରେ ବ୍ରିଜ୍‌ ନିର୍ମାଣ ଦାବିକୁ ବିଭାଗ ପକ୍ଷରୁ ନାକଚ କରିଦିଆଯାଇଥିବା ଜଣାପଡ଼ିଛି। ଉକ୍ତ ଅସ୍ଥାୟୀ ରାସ୍ତା ବନ୍ୟାଜଳ କିମ୍ବା ଲଗାଣ ବର୍ଷାରେ ଧୋଇଯାଉଥିବା ନଜିର ରହିଛି। ଏଥିପ୍ରତି ପ୍ରଶାସନ ଓ ସ୍ଥାନୀୟ ନେତା ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।
Share