ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ଭାଜପାକୁ କଟାକ୍ଷ କଲେ ପାଣ୍ଡିଆନ

ଭୁବନେଶ୍ୱର,୭।୫:ଭାଜପାର ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ କଥା କଟାକଟି ଚାଲିଥିବାବେଳେ ପୁଣି ଏହି ପ୍ରସଙ୍ଗକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ମଙ୍ଗଳବାର ଖଲ୍ଲିକୋଟରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଧୂଆଁଧାର ପ୍ରଚାର କରିଛନ୍ତି ପାଣ୍ଡିଆନ । ନବୀନ ସରକାରଙ୍କ ବିଭିନ୍ନ ଯୋଜନାର ହିସାବ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ସେ ଭୋଟ ଭିକ୍ଷା କରିଛନ୍ତି । ଶଙ୍ଖ ଚିହ୍ନରେ ଆଶୀର୍ବାଦ କରିବାକୁ ମଧ୍ୟ ଅପିଲ କରିଛନ୍ତି ପାଣ୍ଡିଆନ ।

ପାଣ୍ଡିଆନ କହିଛନ୍ତି, ଯେହେତୁ ରାଣୀ ମା’ ଇହଧାମ ତ୍ୟାଗ କରିଛନ୍ତି ତେଣୁ ଖଲ୍ଲିକୋଟ ଉପରେ ସ୍ବତନ୍ତ୍ର ନଜର ରଖିବାକୁ ନିଜେ କହିଛନ୍ତି ମୁଖ୍ୟମନ୍ତ୍ରୀ । କିଛି ଲୋକ ଭାବୁଛନ୍ତି, ନବୀନ ବାବୁ ଓଡିଶାବାସୀଙ୍କ ଆଶୀର୍ବାଦ ପାଇବେନି କି ମୁଖ୍ୟମନ୍ତ୍ରୀ ହେବେନି । ଏଭଳି କହି ଭାଜପା ନେତା ଦିନରେ ସ୍ବପ୍ନ ଦେଖୁଛନ୍ତି । ବିଜେଡିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନବୀନ ପଟ୍ଟନାୟକ ଦୀର୍ଘ ୨୪ ବର୍ଷ ହେବ ଓଡିଶା ପାଇଁ ସେବା କରୁଛନ୍ତି, କିନ୍ତୁ ଭାଜପାର ମୁଖ୍ୟମନ୍ତ୍ରୀ ଚେହେରା କିଏ? ତାହାର ଉତ୍ତର ଦେଇପାରୁନାହାନ୍ତି ଭାଜପା ନେତା ।

ପାଣ୍ଡିଆନ ଭାଜପାକୁ କଟାକ୍ଷ କରି କହିଛନ୍ତି, ୧୦ ବର୍ଷ ହେଲା ଜଣେ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବାକୁ ଡରୁଛି । ତାଙ୍କ ଉପରେ ଆସ୍ଥା, ବିଶ୍ୱାସ ନାହିଁ । ଯଦି ନିଜ ଦଳର ଉକ୍ତ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଆଶା ବିଶ୍ୱାସ ନାହିଁ ତାହେଲେ ଲୋକଙ୍କର ଆଶା ବିଶ୍ୱାସ କେଉଁଠୁ ଆସିବ? ୨୪ ବର୍ଷ ହେଲା ନବୀନ ମୁଖ୍ୟମନ୍ତ୍ରୀ ଅଛନ୍ତି, ଏବେ ଆମକୁ ସୁଯୋଗ ଦିଅନ୍ତୁ ବୋଲି ଭାଜପା ନେତା କହୁଛନ୍ତି । କିନ୍ତୁ ଦଳର ମୁଖ୍ୟମନ୍ତ୍ରୀ ଚେହେରା କିଏ ସେକଥା ଆଗ କୁହନ୍ତୁ ତାହା ପରେ ଓଡିଶାବାସୀ ତାଙ୍କ ଚେହେରା ଦେଖି ଆଶୀର୍ବାଦ ଦେବେ କି ନାହିଁ ଚିନ୍ତା କରିବେ । ଦମ ଥିଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରନ୍ତୁ। ହେଲେ ଭାଜପା ୧୦% ଆସନ ମଧ୍ୟ ପାଇବନି ।

Share