ଇନ୍‌ଷ୍ଟାଗ୍ରାମ୍‌ରେ ପାଣ୍ଡିଆନ୍‌

ଭୁବନେଶ୍ୱର, ୧୧।୫(ଅନିଲ ଦାସ): ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମ୍‌ରେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଦଳର ନିର୍ବାଚନ ଇସ୍ତାହାର ସମ୍ପର୍କରେ ଯୁବପିଢ଼ିଙ୍କୁ ସୂଚନା ଦେଇ ଭୋଟ ଭିକ୍ଷା କରୁଥିବା ଏକ ଭିଡିଓ ଭାଇରାଲ ହୋଇଛି। ସେ ଏକ ମୋଟରସାଇକେଲରେ ଆସି ହେଲ୍‌ମେଟ ଖୋଲି କହୁଛନ୍ତି ଯେ ନବୀନବାବୁଙ୍କ ସରକାର ଯୁବପିଢ଼ିଙ୍କ ସରକାର, ଛାତ୍ରୀଛାତ୍ରମାନଙ୍କର ସରକାର। ଆପଣମାନେ ଦେଖିବେ ମାନିଫେଷ୍ଟୋରେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ କ’ଣ କ’ଣ ଆପଣମାନଙ୍କ ପାଇଁ ରଖିଛନ୍ତି। ନୂଆ-ଓ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଝିଅପିଲାମାନଙ୍କ ପାଇଁ ୧୪ ହଜାର ଓ ପୁଅପିଲାମାନଙ୍କ ପାଇଁ ୧୨ ହଜାର ଟଙ୍କା ରଖିଛନ୍ତି। ପ୍ରତିବର୍ଷ ହଜାରେ କୋଟି ଟଙ୍କା ରଖିବେ ବଜେଟରେ। ଆପଣମାନଙ୍କର ମତାମତ ଅନୁସାରେ ନିଷ୍ପତ୍ତି ନିଆଯିବ। ଆସନ୍ତା ୧୦ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ୧ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଆପଣମାନଙ୍କର ରୋଜଗାର, ପାଠପଢ଼ା, ଦକ୍ଷତା ବୃଦ୍ଧି ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଏସବୁ ଖର୍ଚ୍ଚ କରାଯିବ। ଆପଣମାନଙ୍କ ସରକାର। ଯୁବ, ଛାତ୍ରୀଛାତ୍ର ବହୁ ସଂଖ୍ୟାରେ ଆସି ଭୋଟ ଦେବେ। ଭୋଟ କରେଇବେ। ନବୀନବାବୁଙ୍କୁ ଜିତାଇବେ। ଜୟ ଜଗନ୍ନାଥ ବୋଲି କହୁଛନ୍ତି।