ପାଣ୍ଡିଆନ ଖେଳିଲେ ପୁତୁରା କାର୍ଡ

ଭୁବନେଶ୍ୱର,୯ା୬(ଅନିଲ ଦାସ)ବିଜେଡିର ପରାଜୟ ପରେ ଦଳ ଭିତରେ ଅସନ୍ତୋଷ ତେଜିବାରେ ଲାଗିଛି। ବରିଷ୍ଠ ନେତାମାନେ ଏ ପର୍ଯ୍ୟନ୍ତ ପାଟି ଫିଟାଇ ନ ଥିବା ବେଳେ ଏହି ନିର୍ବାଚନରେ ମୁଖ୍ୟ ଭୂମିକା ନେଇଥିବା କାର୍ତ୍ତିକ ପାଣ୍ଡିଆନଙ୍କୁ ଦଳର ମଧ୍ୟମ ବର୍ଗ ନେତା ଓ ତଳ ସ୍ତରର କର୍ମୀମାନେ ପ୍ରବଳ ବିରୋଧ କରିବା ଆରମ୍ଭ କରିଛନ୍ତି। ଦଳର ଯୁବ ଓ ଛାତ୍ର କର୍ମୀମାନେ ଏହି ପରାଜୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରି ଶଙ୍ଖ ଭବନରେ ପୂରାଇ ନ ଦେବାକୁ ଚେତାବନୀ ଦେଇଛନ୍ତିି। ଏପରି କି ପାଣ୍ଡିଆନଙ୍କ ପାଇଁ ଖବରଦାତା ସମ୍ମିଳନୀ ନ କରିବାକୁ ଦଳର ମୁଖପାତ୍ରମାନଙ୍କୁ ମଧ୍ୟ ସତର୍କ କରାଇଛନ୍ତି। କେବଳ ତଳସ୍ତର କର୍ମୀ ନୁହନ୍ତି ଆଗାମୀ ଦିନରେ ଉପର ସ୍ତରର ନେତାମାନେ ବିରୋଧ କରିବେ ବୋଲି ରାଜନୀତି ବିଶାରଦ ମତ ଦେଲେଣି। ଦଳରୁ ବିରୋଧ ହେବା ଜାଣି ଶନିବାର ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ଖୋଲାଖୋଲି ଭାବେ ପାଣ୍ଡିଆନଙ୍କ ସପକ୍ଷରେ ଏକ ଜାତୀୟ ଗଣମାଧ୍ୟମରେ ମତ ରଖି ଏହି ଅସନ୍ତୋଷକୁ ଚପାଇବାକୁ ଉଦ୍ୟମ କରିଛନ୍ତି। ଗଣମାଧ୍ୟମକୁ ସେ କହିଛନ୍ତି ଯେ ପରାଜୟ ପରେ ପାଣ୍ଡିଆନଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ। ପାଣ୍ଡିଆନ ଜଣେ ଅଫିସର ଭାବେ ବହୁତ ଭଲ କାମ କରିଛନ୍ତି। ଅବସର ପରେ ସେ ବିଜେଡିରେ ଯୋଗ ଦେଇଛନ୍ତି । ସେ କୌଣସି ପଦ ପଦବୀରେ ନାହାନ୍ତି। ନିର୍ବାଚନ ଲଢ଼ିନାହାନ୍ତି। ସେ ଜଣେ ନିଷ୍ଠାବାନ୍‌ ଓ ସଚ୍ଚୋଟ ବ୍ୟକ୍ତି। ପାଣ୍ଡିଆନ ସ୍ବାସ୍ଥ୍ୟ, ଶିକ୍ଷା,କ୍ରୀଡ଼ା ଓ ମନ୍ଦିର ରୂପାନ୍ତରଣରେ ବହୁତ ଭଲ କାର୍ଯ୍ୟ କରିଛନ୍ତି । ବାତ୍ୟା ଓ କୋଭିଡ୍‌ କାଳରେ ମଧ୍ୟ ସେ ବହୁତ ଭଲ କାମ କରିଛନ୍ତି । ଏଥିପାଇଁ ସେ ମନେରହିବେ ବୋଲି ନବୀନ କହିଛନ୍ତି। ପାଣ୍ଡିଆନ ତାଙ୍କର ଉତ୍ତରାଧିକାରୀ ନୁହନ୍ତି ବୋଲି ନବୀନ ପୁନର୍ବାର ଦୋହରାଇଛନ୍ତି। ତାଙ୍କର ଉତ୍ତରାଧିକାରୀ କିଏ ହେବେ ତାହା ଓଡ଼ିଶାବାସୀ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଦଳ ଭିତରେ ହେଉଥିବା ଅସନ୍ତୋଷକୁ ଚପାଇବା ପାଇଁ ପାଣ୍ଡିଆନ ନୂଆଦିଲ୍ଲୀରୁ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକଙ୍କୁ ଭୁବନେଶ୍ୱର ଆଣି ନବୀନ ନିବାସରେ ପହଞ୍ଚାଇଛନ୍ତି। ଦଳରେ ଦେଖାଦେଇଥିବା ଅସନ୍ତୋଷକୁ ଦବାଇବା ପାଇଁ ଅରୁଣଙ୍କୁ ଉତ୍ତରାଧିକାରୀ ଭାବେ ଦର୍ଶାଇବାକୁ ନବୀନ ଉଦ୍ୟମ କରୁଥିବା କୁହାଯାଉଛି। ପାଣ୍ଡିଆନଙ୍କ ଏହି ପଦକ୍ଷେପକୁ ଦଳର ଗୋଟିଏ ଗୋଷ୍ଠୀ ସହଯୋଗ କରୁଥିବା ଚର୍ଚ୍ଚା ହେଉଛି। ନବାଗତ ପୁତୁରାଙ୍କୁ ନବୀନ ଦଳର ମଙ୍ଗ ଧରାଇ ଉତ୍ତରାଧିକାରୀ କରିବା ନିଷ୍ପତ୍ତିକୁ ଆଗାମୀ ଦିନରେ ବରିଷ୍ଠ ନେତାମାନେ ମଧ୍ୟ ବିରୋଧ କରିବେ ବୋଲି ରାଜନୈତିକ ବିଶାରଦ ମତ ଦେଇଛନ୍ତି।

Share