ଭୁବନେଶ୍ୱର,୩୦।୫: ପ୍ରଧାନମନ୍ତ୍ରୀ ମୋଦି ବୁଧବାର ଓଡ଼ିଶା ଆସି ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ଯାହାର କାଉଣ୍ଟର କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ପ୍ରେସମିଟ୍ କରି ମୋଦିଙ୍କ ଗୋଟିଗୋଟି କଟାକ୍ଷର ଜବାବ ଦେଇଛନ୍ତି ପାଣ୍ଡିଆନ।
ସେ କହିଛନ୍ତି, ‘ମୋଦିଜୀ ଗତକାଲି କହିଛନ୍ତି ବିଜେଡିର ୬ମାସ ମଧ୍ୟରେ ବଡ଼ କମ୍ପନ ହେବାକୁ ଯାଉଛି। ସେ ସବୁବେଳେ ଆଜି ହେବ କାଲି ହେବ କହୁଛନ୍ତି। ତାଙ୍କ ପାଖରେ ବୋଧେ ଜଣେ ଭଲ ଜ୍ୟୋତିଷ ଅଛନ୍ତି। ଆମେ ଆଶା କରୁଛୁ ଭାଜପା ପ୍ରଥମେ ନିଜର ଜ୍ୟୋତିଷ ପରିବର୍ତ୍ତନ କରୁ’ ।
ଦଳ ସବୁବେଳେ ନିଜର ଷ୍ଟ୍ରାଟେଜି ପରିବର୍ତ୍ତନ କରୁଛି । ଭାଜପା ଦେଶରେ ୧୦ ବର୍ଷ ହେବ କ୍ଷମତାରେ ଅଛି । ୧୦ ବର୍ଷ କ୍ଷମତା ଭିତରେ ଓଡିଶାରେ କେତେ ରାସ୍ତା ତିଆରି କରିଛନ୍ତି । ଯଦି କୋଷ୍ଟାଲ ହାଇୱେ କରିଥାନ୍ତେ ତାହେଲେ ଓଡିଶାର ଅନେକ ବିକାଶ ହୋଇଥାନ୍ତା। ରାଜ୍ୟକୁ ଶିଳ୍ପ ଆସିପାରିଥାନ୍ତା । ୧୦ ବର୍ଷ କ୍ଷମତାରେ ଥାଇ କିଛି କରିପାରିଲେ ନାହିଁ କିନ୍ତୁ ନିର୍ବାଚନର ୧୦ ଦିନ ଆଗରୁ ଓଡିଶା କଥା ମନେପଡିଗଲା ବୋଲି ପାଣ୍ଡିଆନ କହିଛନ୍ତି।
ପାଣ୍ଡିଆନ ଆହୁରି କହିଛନ୍ତି, ଭାଜପା ଯେତେ ବି ବ୍ୟକ୍ତିଗତ ଆକ୍ରମଣ କରୁ ଏହାର ପ୍ରଭାବ ମୁଖ୍ୟମନ୍ତ୍ରୀଙ୍କ ଉପରେ ପଡିବ ନାହିଁ । ଓଡିଶାବାସୀ ଏହାକୁ ଗ୍ରହଣ କରିବେ ନାହିଁ । ସବୁ ରାଜ୍ୟରେ ବ୍ୟକ୍ତିଗତ ଆକ୍ଷେପ କରୁଛି ଭାଜପା । ବ୍ୟକ୍ତିଗତ ସ୍ତରରେ ଆକ୍ଷେପ କରିବା ଭାଜପାର ଷ୍ଟାଣ୍ଡାର୍ଡ ଫର୍ମୁଲା। ଓଡିଶାବାସୀ କେବେ ବି ମୁଖ୍ୟମନ୍ତ୍ରୀଙ୍କ ଅସମ୍ମାନକୁ ଗ୍ରହଣ କରିବେ ନାହିଁ । ଓଡିଶା ବାସୀ ଶାନ୍ତି ପ୍ରିୟ ଲୋକ ଚୁପ ରହି ଭୋଟରେ ଦେଖାଇବେ ।