ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର ଉମରକୋଟ ଓ ଝରିଆଁରେ ନିର୍ବାଚନ ପ୍ରଚାର ଆରମ୍ଭ କରି ଦଳର ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ପରିମାଣର ଭୋଟଦେଇ ଜିତାଇବାକୁ ନିବେଦନ କରିଛନ୍ତି ।

ତେବେ ପ୍ରଚାର ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ପାଣ୍ଡିଆନ। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କୁ ଏତେ ସୁବିଧା ଦେଉଛନ୍ତି ବୋଲି ବିରୋଧୀ ରାଗରେ ଜର୍ଜର ହେଉଛନ୍ତି । ତେଣୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ମିଶନ ଶକ୍ତି ଆଦି କାର୍ଯ୍ୟକ୍ରମ ବନ୍ଦ କରିବାକୁ ଷଡଯନ୍ତ୍ର କରୁଛନ୍ତି । ମା’ ମାନଙ୍କ ଦୁବାଇ ଗସ୍ତ ବନ୍ଦ କରିଦେଲେ । ପାଣ୍ଡିଆନ ଆହୁରି କହିଛନ୍ତି, କେନ୍ଦ୍ରମନ୍ତ୍ରୀ ବଡ ବଡ କଥା କହୁଛନ୍ତି । କିନ୍ତୁ ୫ ବର୍ଷ ହେଲା ଶିକ୍ଷାମନ୍ତ୍ରୀ ହେଲେଣି, ଆପଣଙ୍କ ଅଞ୍ଚଳରେ ଗୋଟିଏ ବି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲି ପାରିଲେ ନାହିଁ । ସେ ଚାହିଁଥିଲେ ନବରଙ୍ଗପୁରରେ ତିନି ଚାରିଟି କେନ୍ଦ୍ରୀୟ ବିଦ୍ୟାଳୟ କରିପାରିଥାନ୍ତେ। କିନ୍ତୁ ହୋଇପାରିଲା ନାହିଁ। ଓଡିଶା ସରକାର ୫ଟି ରେ ୮୦୦୦ରୁ ଅଧିକ ହାଇସ୍କୁଲର ରୂପାନ୍ତର କରିଛନ୍ତି ।

ଉମରକୋଟରେ ବର୍ତ୍ତମାନ ୨୧୨ କୋଟି ଟଙ୍କାର କାମ ଚାଲିଛି । ପୋଡାଗଡ ଶିବ ମନ୍ଦିର ଓ ଐତିହ୍ୟ ସ୍ଥଳ ପାଇଁ ୩ କୋଟି ଟଙ୍କାର କାମ ଚାଲିଛି । ଉମରକୋଟରେ ଡାଇଲିସିସ ସେଣ୍ଟର ଖୋଲିଛି । ୫୦ କୋଟିରେ ୫ ଟି ରାସ୍ତା କାମ ଚାଲିଛି । ଝରିଗାଁ ପାଇଁ ଡିଗ୍ରୀ କଲେଜ ମଞ୍ଜୁର ହୋଇଛି। ଚନ୍ଦାହାଣ୍ଡି ଝରିଗାଁକୁ ପାଇପ ଯୋଗେ ପିଇବା ପାଣି ଯୋଗାଇ ଦିଆଯାଉଛି । ଝରିଗାଁରୁ ମେଦେନା ରାସ୍ତା ପାଇଁ ୪୫ କୋଟି, ଉମରକୋଟ-ଚନ୍ଦାହାଣ୍ଡି ମାଲଗାଁ ରାସ୍ତା ପାଇଁ ୬୧ କୋଟି, ଭୈରଘୁମର ଜଳପ୍ରପାତ ଠାରେ ପର୍ଯ୍ୟଟନ ପାଇଁ ୩ କୋଟି ୨୫ ଲକ୍ଷ, ଚନ୍ଦନଧାରା ଜଳପ୍ରପାତରେ ପର୍ଯ୍ୟଟନର ବିକାଶ ପାଇଁ ୩ କୋଟି ୭୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି ବୋଲି ପାଣ୍ଡିଆନ କହିଛନ୍ତି ।

Share