Categories: ଜାତୀୟ

ପରଲୋକରେ ପ୍ରସିଦ୍ଧ ସନ୍ତୁର ବାଦକ

ନୂଆଦିଲ୍ଲୀ,୧୦।୫: ଲୋକପ୍ରିୟ ଭାରତୀୟ ସଙ୍ଗୀତଜ୍ଞ ତଥା ସନ୍ତୁର ବାଦକ ପଣ୍ଡିତ ଶିବକୁମାର ଶର୍ମାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ବର୍ଷ ହୋଇଥିବା ବେଳେ ମୁମ୍ବାଇରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗତ ୬ମାସରୁ ସେ କିଡନୀ ରୋଗରେ ଆକ୍ରାନ୍ତ ଥିବା ବେଳେ ତାଙ୍କର ଡାଏଲିସିସ୍‌ ଚାଲିଥିଲା। ତେବେ ମଙ୍ଗଳବାର ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତାଙ୍କ ବିୟୋଗରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଥିବା ବେଳେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ଏକ ଅପୂରଣୀୟ କ୍ଷତି ହୋଇଛି। ତାଙ୍କ ବିୟୋଗରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟୁଇଟ କରି ଶୋକ ପ୍ରକାଶ କରିବା ସହ ାଙ୍କ ପରିବାର ବର୍ଗ ଓ ଶିଷ୍ୟମାନଙ୍କୁ ସମବେଦନା ଜଣାଇଛନ୍ତି। ଏଥିସହ ତାଙ୍କର ଅମର ଆତ୍ମାର ସଦ୍‌ଗତି ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥନା କରିଛନ୍ତି। ସୂଚନାଯୋଗ୍ୟ, ୧୯୩୮ରେ ଜମ୍ମୁ-କଶ୍ମୀରରେ ପଣ୍ଡିତ ଶିବକୁମାର ଜନ୍ମଗ୍ରହଣ କରିଥିଲେ। ମାତ୍ର ୧୫ବର୍ଷ ବୟସରେ ସେ ଜମ୍ମୁରେ ଏକ ରେଡିଓ ଷ୍ଟେସନରେ ପ୍ରସାରକ ଭାବେ ଚାକିରି ଆରମ୍ଭ କରିଥିଲେ। ତାଙ୍କର ନିଆରା ଅନ୍ଦାଜ ପାଇଁ ଭାରତୀୟ ସଙ୍ଗୀତକୁ ଅନ୍ତର୍ଜାତୀୟ ସ୍ତରରେ ଏକ ସ୍ବତନ୍ତ୍ର ପରିଚୟ ମିଳିପାରିଥିଲା। କଳା ଓ ସଙ୍ଗୀତ ଜଗତରେ ତାଙ୍କରୁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପାଇଁ ଭାରତ ସରକାର ଶିବକୁମାରଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ। ଫିଲ୍ମ ଜଗତରେ ମଧ୍ୟ ପଣ୍ଡିତ ଶିବ କୁମାରଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ବଲିଉଡ୍‌ରେ ‘ଶିବ-ହରି’(ଶିବକୁମାର ଶର୍ମା ଓ ହରି ପ୍ରସାଦ ଚୌରାସିଆ)ଙ୍କ ଯୋଡି ଅନେକ ସୁପରହିଟ ଗୀତଗୁଡ଼ିକରେ ସଙ୍ଗୀତ ଦେଇଛନ୍ତି। ଫିଲ୍ମ ଚାନ୍ଦିନୀର ପପୁଲାର ଗୀତ ‘ ମେରେ ହାଥୋ ମେଁ ନୋ ନୋ ଚୁଡିଆଁ’ରେ ବି ଏହି ସୁପରହିଟ ଯୋଡି ନିଜର ସଙ୍ଗୀତ ଦେଇଥିଲେ। ସେହିପରି ଫିଲ୍ମ ସିଲ୍‌ସିଲା ଓ ଲମ୍‌ହେ ଭଳି ଅନେକ ଫିଲ୍ମରେ ମଧ୍ୟ ସେ ସଙ୍ଗୀତ ଦାନ କରିଛନ୍ତି। ସୂଚନା ମୁତାବକ, ଆସନ୍ତା ମେ’ ୧୫ରେ ଏକ କାର୍ଯ୍ୟକ୍ରମରେ ଶିବକୁମାର ଯୋଗଦେବାର ଥିଲା। ଏଥିରେ ସେ ହରି ପ୍ରସାଦ ଚୌରାସିଆଙ୍କ ସହ ପ୍ରଦର୍ଶନ କରିବାର ଥିଲା। ହେଲେ ବିଡମ୍ବନାର ବିଷୟ ଯେ, ଏହା ପୂର୍ବରୁ ଶିବକୁମାର ସମସ୍ତଙ୍କଠାରୁ ଶେଷ ବିଦାୟ ନେଇଛନ୍ତି।

Share