ଦୁବାଇ,୨୬।୧୦: ପାକିସ୍ତାନ ବିପକ୍ଷ ଟି -୨୦ ବିଶ୍ୱକଫ ଉଦଘାଟନୀ ମ୍ୟାଚରେ ଟିମ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଘାତ ସେତେଟା ଗୁରୁତର ନୁହେଁ। ତେଣୁ ସେ ୩୧ ଅକ୍ଟୋବରରେ ନ୍ୟୁଜିଲାଣ୍ଡ ବିପକ୍ଷ ପରବର୍ତ୍ତୀ ମ୍ୟାଚ ପାଇଁ ଉପଲବ୍ଧ ହେବାର ସମ୍ଭାବନା ରହିଛି। ଗତ ମାସରେ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ରେ ବୋଲିଂ କରି ନ ଥିବା ପାଣ୍ଡ୍ୟା ଏବେ ଦଳରେ ବ୍ୟାଟ୍ସମ୍ୟାନ ଭାବରେ ଖେଳୁଛନ୍ତି। ସେ ରବିବାର ପାକିସ୍ତାନ ବିପକ୍ଷରେ ୮ଟି ବଲରେ ୧୧ ରନ ସଂଗ୍ରହ କରିଥିଲେ। ସେ ଦ୍ରୁତ ବୋଲରଙ୍କ ସାମ୍ନାରେ ଅସହଜ ମନେ ହେଉଥିଲେ ଏବଂ ଏହି ସମୟରେ ଏକ ଛୋଟ ପିଚ ବଲ ତାଙ୍କ କାନ୍ଧରେ ବାଜିଥିଲା।
ହାର୍ଦ୍ଦିକଙ୍କ ସ୍କାନ ରିପୋର୍ଟ ଆସିଛି ଏବଂ ଆଘାତ ଗୁରୁତର ନୁହେଁ। ଏହା ବ୍ୟତୀତ ଦୁଇଟି ମ୍ୟାଚ ରେ ୬ ଦିନର ବ୍ୟବଧାନ ଅଛି ଯାହା ଦ୍ୱାରା ସେ ଆଘାତରୁ ମୁକ୍ତି ପାଇବା ପାଇଁ ପର୍ଯ୍ୟାପ୍ତ ସମୟ ପାଇବେ। ଅଭ୍ୟାସ ଅଧିବେଶନରେ ଡାକ୍ତରୀ ଦଳ ତାଙ୍କ ଅବସ୍ଥା ଉପରେ ନଜର ରଖିବେ।