Categories: ଖେଳ

ବିଶ୍ୱ ଚାମ୍ପିୟନଙ୍କୁ ହରାଇଲେ ପଙ୍ଘାଲ

ବେଲଗ୍ରେଡ୍‌ , ୨୧।୯ (ପି.ଟି.): ଏଠାରେ ଚାଲିଥିବା ବିଶ୍ୱ ରେସ୍‌ଲିଂ ଚାମ୍ପିୟନଶିପ୍‌ରେ ଭାରତର ଅନ୍ତିମ ପଙ୍ଘାଲ ବିଶ୍ୱ ଚାମ୍ପିୟନ ଓଲିଭିଆ ଡେମିନିକ୍‌ ପାରିସଙ୍କୁ ହରାଇବା ସହ ପ୍ୟାରିସ ଅଲିମ୍ପିକ୍ସ ଯୋଗ୍ୟତା ଆଶା ଉଜ୍ଜୀବିତ ରଖିଛନ୍ତି। ତେବେ ଅନ୍ୟ ଭାରତୀୟ ରେସଲର ନିରାଶ କରିଛନ୍ତି। ଦୁଇଥର ୨୦ ବର୍ଷରୁ କମ୍‌ ଚାମ୍ପିୟନ ପଙ୍ଘାଲ ଏକଦା ୦-୨ରେ ପଛୁଆ ରହିବା ସତ୍ତ୍ୱେ ସଫଳ ପ୍ରତ୍ୟାବର୍ତ୍ତନ କରି ନିଜ ଆମେରିକୀୟ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୩-୨ରେ ପରାସ୍ତ କରିଥିଲେ। ମହିଳା ୫୩ କେଜି ବର୍ଗରେ ଏହି ପ୍ରଥମ ରାଉଣ୍ଡ ମୁକାବିଲା ହୋଇଥିଲା। ଏହାପରେ ପଙ୍ଘାଲ ପୋଲାଣ୍ଡର ରୋକ୍ସାନା ମାର୍ଟା ଜାସିନାଙ୍କୁ ବୈଷୟିକ କୌଶଳରେ ପଛରେ ପକାଇ କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ଥିଲେ। ସେଠାରେ ସେ ରୁଷିଆର ନାତାଲିଆ ମାଲିଶେଭାଙ୍କୁ ୯-୬ରେ ହରାଇ ସେମିରେ ପ୍ରବେଶ କରିଥିଲେ।

ପ୍ରଥମ ୩ ଲଢ଼େଇରେ ଚମତ୍କାର ପ୍ରଦର୍ଶନ କରିଥିବା ପଙ୍ଘାଲ ସେମିଫାଇନାଲରେ କିନ୍ତୁ ବିଶ୍ୱର ୨୩ ନମ୍ବର ରେସଲର ବେଲାରୁଷର ଭାନେସା କାଲାଜିନସ୍କାୟାଙ୍କଠାରୁ ୪-୫ ପଏଣ୍ଟରେ ହାରି ଯାଇଥିଲେ। ଗୁରୁବାର ହେବାକୁଥିବା ବ୍ରୋଞ୍ଜ ପଦକ ମୁକାବିଲାରେ ବିଜୟୀ ହେଲେ ସେ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବେ।
ପଙ୍ଘାଲ-ଓଲିଭିଆ ପ୍ରଥମ ରାଉଣ୍ଡ ମୁକାବିଲା ତୀବ୍ର ସଂଘର୍ଷପୂର୍ଣ୍ଣ ହୋଇଥିଲା। ଆମେରିକୀୟ ପ୍ରତିଦ୍ୱନ୍ଦ୍ୱୀ ଡାହାଣ ଗୋଡ଼ରୁ ଆକ୍ରମଣ ଆରମ୍ଭ କରି ଖୁବ୍‌ ଶୀଘ୍ର ୨ ପଏଣ୍ଟ ହାସଲ କରି ନେଇଥିଲେ। ମାତ୍ର ୧୯ ବର୍ଷୀୟ ଭାରତୀୟ ଏହାପରେ ଚମତ୍କାର ଡିଫେଣ୍ଡ କରି ଆଉ ପଏଣ୍ଟ ବରଣ କରି ନ ଥିଲେ। ଓଲିଭିଆଙ୍କ ବାମଗୋଡ଼କୁ ଟାର୍ଗେଟ କରିଥିବା ପଙ୍ଘାଲ ଶେଷ ପର୍ଯ୍ୟନ୍ତ ପ୍ରଭାବୀ ପ୍ରଦର୍ଶନ କରି ୩ ପଏଣ୍ଟ ହାସଲ କରି ନେଇଥିଲେ। ଏଥିରୁ ମନୋବଳ ଦୃଢ଼ କରିଥିବା ପଙ୍ଘାଲ ଦ୍ୱିତୀୟ ରାଉଣ୍ଡରେ ପୋଲାଣ୍ଡ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇବାକୁ ମାତ୍ର ୧ ମିନିଟ ୩୮ ସେକେଣ୍ଡ ସମୟ ନେଇଥିଲେ। ଅନ୍ୟପକ୍ଷରେ ମନୀଷା (୬୨ କେଜି), ପ୍ରିୟଙ୍କା(୬୮ କେଜି) ଓ ଜ୍ୟୋତି ବ୍ରଓ୍ବୋଲ (୭୨ କେଜି) ସେମାନଙ୍କ ଲଢ଼େଇ ହାରି ଯାଇଥିବାରୁ ଅନ୍ୟ ପ୍ରତିଯୋଗୀଙ୍କ ଫଳାଫଳ ଉପରେ ନିର୍ଭର କରୁଛନ୍ତି। ସେହିପରି ଏଥିରେ ଭାଗ ନେଇଥିବା ସମସ୍ତ ୧୦ ଜଣ ଯାକ ଫ୍ରିଷ୍ଟାଇଲ ରେସଲର ଅଲିମ୍ପିକ୍ସ କୋଟା ଓ ପଦକ ବିନା ଟୁର୍ନାମେଣ୍ଟରୁ ବିଦା ହୋଇ ସାରିଛନ୍ତି।

 

Share