ବାହାର ଦେଶକୁ କରୁଥିଲେ ବଜ୍ରକାପ୍ତା ଚୋରାଚାଲାଣ: ବନ୍ଧା ହେଲେ ପ୍ରଧାନଶିକ୍ଷକ

ଖୁଣ୍ଟୁଣୀ,୧ା୭(ଡି.ଏନ୍‌.ଏ)-ଆଠଗଡ଼ ବନଖଣ୍ଡରେ ବଜ୍ରକାପ୍ତା ଚୋରାଚାଲାଣ ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତଙ୍କୁ ଖୁଣ୍ଟୁଣୀ ବନାଞ୍ଚଳ ପକ୍ଷରୁ ଗିରଫ କରାଯାଇ ବୁଧବାର କୋର୍ଟଚାଲାଣ କରାଯାଇଛି। ସେ ହେଲେ ବଡ଼ମ୍ବା ଥାନା ଗୋପପୁରର ଶ୍ୟାମସୁନ୍ଦର ବେହେରା। ସେ ଚୌଦ୍ୱାର ଥାନା ଅନ୍ତର୍ଗତ କୟଳପଡ଼ା ୟୁପି ସ୍କୁଲରେ ପ୍ରଧାନଶିକ୍ଷକ ଥିଲେ। ଏ ନେଇ ବନାଞ୍ଚଳ ଅଧିକାରୀ ପକ୍ଷରୁ ୧୦କେ, ୨ବିସି୧୦/୨୦ରେ ଏକ ମାମଲା ରୁଜୁ ହୋଇଛି। ପ୍ରାୟ ସମୟରେ ଅଭିଯୁକ୍ତ ଶ୍ୟାମସୁନ୍ଦର ଶିକାରୀମାନଙ୍କୁ ହାତ କରି ବଜ୍ରକାପ୍ତା ବାହାର ଦେଶକୁ ଚାଲାଣ କରୁଥିଲେ। ପୂର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ଜେରାବେଳେ ଏହି କଥା ଜଣାପଡ଼ିଥିଲା ବୋଲି ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ମାଗୁଣୀ ଚରଣ ବେହେରା କହିଛନ୍ତି। ଏଥିପାଇଁ ବନାଞ୍ଚଳ ଅଧିକାରୀ ଜାଲ ବିଛାଇଥିବାବେଳେ ଗିରଫ ଭୟରେ ଶ୍ୟାମସୁନ୍ଦର ବାରମ୍ବାର ମୋବାଇଲ ସିମ୍‌ ଓ ସ୍ଥାନ ପରିବର୍ତ୍ତନ କରୁଥିଲେ। ପରେ ବନାଞ୍ଚଳ ଟିମ ମୋବାଇଲକୁ ଟ୍ରାକ କରିବାରୁ ସେ ଢେଙ୍କାନାଳ ଟାଉନ ଗାନ୍ଧୀ ମନ୍ଦିର ରୋଡର ଏକ ଭଡ଼ା ଘରେ ଥିବା ଜାଣିବା ପରେ ଆଠଗଡ଼ ଡିଏଫ୍‌ଓ ସସ୍ମିତା ଲେଙ୍କାଙ୍କୁ କହିଥିଲେ। ପରେ ତାଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ରାତିରେ ଉକ୍ତ ଭଡ଼ା ଘରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।