ଭାରତରେ ପୁଣି କରୋନାକୁ ନେଇ ଆତଙ୍କ: ସରକାରଙ୍କ ଚିନ୍ତା ବଢ଼ିଲା, ସ୍ବାସ୍ଥ୍ୟମନ୍ତ୍ରୀ କଲେ ସମୀକ୍ଷା ବୈଠକ…

ନୂଆଦିଲ୍ଲୀ,୨୦।୧୨: ଭାରତରେ ପୁଣି ଥରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। କରୋନାର ଜେଏନ.୧ ନୂଆ ଭ୍ୟାରିଆଣ୍ଟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଏବଂ ଶ୍ୱାସ ସମସ୍ୟାରେ ପୀଡିତ ଲୋକଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ବୁଧବାର ରାଜ୍ୟ ଅଧିକାରୀମାନଙ୍କ ସହ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି।

ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ଏବଂ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ସମୟରେ ଉପଲବ୍ଧ ସ୍ବାସ୍ଥ୍ୟ ସୁବିଧା ଏବଂ ପ୍ରସ୍ତୁତି ତଥା ସଂକ୍ରମଣକୁ ରୋକିବା ପାଇଁ ପଦକ୍ଷେପ ଉପରେ ଆଲୋଚନା କରାଯାଇଥିଲା। ଆଇସିଏମଆର ନିର୍ଦ୍ଦେଶକ ଡ. ରାଜୀବ ବହଲ, ଏନଆଇଟିଆଇ ଆୟୋଗ ସଦସ୍ୟ ଡକ୍ଟର ଭି.କେ ପାଲ ଏବଂ ପୂର୍ବତନ ଆଇସିଏମଆର ମହାନିର୍ଦ୍ଦେଶକ ଡକ୍ଟର ସୌମ୍ୟା ସ୍ବାମୀନାଥନ ମଧ୍ୟ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, କରୋନାର ନୂଆ ଭ୍ୟାରିଆଣ୍ଟ ଜେଏନ.୧ ର ପ୍ରଥମ ମାମଲା ଡିସେମ୍ବର ୮ ରେ କେରଳରେ ମିଳିଥିଲା। ଏହି ସଂକ୍ରମଣ ୭୯ ବର୍ଷ ବୟସ୍କା ମହିଳାଙ୍କଠାରେ ଦେଖିବାକୁ ମିଳିଥିଲା। ଏଥିସହିତ ବିଦେଶରେ କରୋନା ସଂକ୍ରମଣ ନେଇ ଏକ ସଙ୍କଟ ସୃଷ୍ଟି ହୋଇଛି।

Share