ଜିଲା ଚିକିତ୍ସାଳୟରେ ସୁରକ୍ଷାକର୍ମୀଙ୍କ ଆତଙ୍କ

ଅନୁଗୋଳ ଅଫିସ, ୨୪।୪: କ୍ରମିକ ସଂଖ୍ୟା ଅନୁଯାୟୀ ଧାଡ଼ିରେ ଛିଡ଼ା ହୋଇଥିବା ରୋଗୀ ଓ ସମ୍ପର୍କୀୟଙ୍କୁ ଅଣଦେଖା କଲେ। ପଛରେ ଆସିଥିବା ଲୋକଙ୍କୁ ଆଗୁଆ ଡାକ୍ତରଙ୍କ ପରାମର୍ଶ ପାଇଁ ଛାଡ଼ିଲେ। ଏହାର ପ୍ରତିବାଦ କରିବାରୁ ଅସୁସ୍ଥ ଶିଶୁଙ୍କୁ ନେଇ ଚିକିତ୍ସା ପାଇଁ ଆସିଥିବା ଜଣେ ବ୍ୟକ୍ତିଙ୍କୁ ନିସ୍ତୁକ ପିଟିଲେ। ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ରବିବାର ଶୃଙ୍ଖଳା ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀ ଏଭଳି ଢଙ୍ଗରେ ଆତଙ୍କ ଖେଳାଇଛନ୍ତି। ସର୍ବସମ୍ମୁଖରେ ସୁରକ୍ଷାକର୍ମୀଙ୍କ ଏଭଳି କାରନାମା ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଏ ସମ୍ପର୍କରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ନିକଟରେ ସୂଚନା ନ ଥିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।
ଅଭିଯୋଗ ଅନୁଯାୟୀ, ଛେଣ୍ଡିପଦା ବ୍ଲକ ପଥରଗୁଞ୍ଜି ଅଞ୍ଚଳର ଅଭିରାମ ମୁଖୀ ତାଙ୍କ ୭ ବର୍ଷର ଅସୁସ୍ଥ ଶିଶୁକୁ ନେଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ଶିଶୁ ବିଭାଗରେ କରିଥିବା ଟିକେଟ୍‌ରେ ତାଙ୍କର କ୍ରମିକ ସଂଖ୍ୟା ୧୪ ରହିଥିଲା। ତେବେ ସେଠାରେ ନିୟୋଜିତ ସୁରକ୍ଷାକର୍ମୀମାନେ ସେମାନଙ୍କ ପରିଚିତଙ୍କୁ ଆଗୁଆ ଛାଡ଼ିବା ପାଇଁ ଅଭିରାମଙ୍କ ଟିକେଟ୍‌କୁ ପଛକୁ କରିଦେଇଥିଲେ। ଅଭିରାମ ଶିଶୁଙ୍କୁ ଧରି ଧାଡ଼ିରେ ଦୀର୍ଘ ସମୟ ଛିଡ଼ା ହୋଇଥିବାବେଳେ ସୁରକ୍ଷାକର୍ମୀମାନେ ଟିକେଟ କ୍ରମିକ ସଂଖ୍ୟା ଅଦଳବଦଳ କରି ଅନ୍ୟ ରୋଗୀଙ୍କୁ ଡାକ୍ତରଙ୍କ ପାଖକୁ ପଠାଇବା ଜାରି ରଖିଥିଲେ। ଅଭିରାମ ଏହାର ପ୍ରତିବାଦ କରିବାରୁ ସୁରକ୍ଷାକର୍ମୀମାନେ ଉତ୍‌କ୍ଷିପ୍ତ ହୋଇଉଠିଥିଲେ। ତାଙ୍କୁ ଏକ କୋଠରିକୁ ନେଇଯାଇ ନିସ୍ତୁକ ମାଡ଼ ମାରିବା ସହ ଶାର୍ଟ ଚିରିଦେଇଥିବା ଅଭିରାମ ଅନୁଗୋଳ ଥାନାରେ ଅଭିଯୋଗ କରିଛନ୍ତି। ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ସୁରକ୍ଷାକର୍ମୀଙ୍କୁ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଏଥିପୂର୍ବରୁ ମଧ୍ୟ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କୁ ମେଡିକାଲରେ ସୁରକ୍ଷାକର୍ମୀମାନେ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିବାବେଳେ ଚଳିତ ଥର ଏହା ସୀମା ଟପିଛି।
ଏ ନେଇ ଏଡିଏମ୍‌ଓ (ମେଡିକାଲ) ମାନସ ରଞ୍ଜନ ବିଶ୍ୱାଳ କହିଛନ୍ତି, ଘଟଣା ସମ୍ପର୍କରେ ସେ ଅବଗତ ନାହାନ୍ତି। ଯଦି ଏଭଳି ଘଟଣା ଘଟିଥିବ, ତେବେ ସାଂଘାତିକ କଥା। ଏହାର ତଦନ୍ତ କରାଯିବ। ସିଡିଏମ୍‌ଓଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯିବ। ଅନ୍ୟପଟେ କର୍ତ୍ତୃପକ୍ଷଙ୍କ ଅପାରଗତାରୁ ମେଡିକାଲ ସର୍ବସମ୍ମୁଖରେ ଏଭଳି ଘଟଣା ଘଟିଥିବା ବୁଦ୍ଧିଜୀବୀମାନେ କହିଛନ୍ତି। ମେଡିକାଲରେ ଏଭଳି ଅନେକ ଘଟଣା ଘଟୁଛି। ଯାହା ଲୋକଲୋଚନକୁ ଆସୁଛି, ତାହାର ତଦନ୍ତ କରିବାକୁ କର୍ତ୍ତୃପକ୍ଷ କହୁଛନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ତଦନ୍ତ କେଉଁଆଡ଼େ ଯାଉଛି ତାହା ଜଣାପଡ଼ୁନାହିଁ।