ଖସିପଡ଼ିଥିବା ଡ୍ରୋନ୍‌କୁ ନେଇ ଆତଙ୍କ

ଢେଙ୍କାନାଳ ଅଫିସ, ୧୨।୫: ଢେଙ୍କାନାଳ ସଦର ଥାନା ଇନ୍ଦିପୁର ଗ୍ରାମ କେନାଲ ବନ୍ଧ ଉପରେ ଗୁରୁବାର ଅପରାହ୍ନରେ ଖସିପଡ଼ିଥିବା ଏକ ଡ୍ରୋନ୍‌କୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ଅପରାହ୍ନ ପ୍ରାୟ ୫ଟା ୪୦ରେ ଉଚ୍ଚ ଶବ୍ଦ କରି ଏହା ଖସିପଡ଼ିଥିଲା। ଅବିକଳ ଉଡ଼ାଜାହାଜ ଭଳି ଦେଖାଯାଉଥିବା ଉକ୍ତ ଡ୍ରୋନ୍‌ର ଲମ୍ବ ୭ ଫୁଟ ଏବଂ ଓସାର ୪ ଫୁଟ। ଏହାର ଅଗ୍ରଭାଗରେ ଦୁଇଟି କ୍ୟାମେରା ଖଞ୍ଜାଯାଇଛି। ଗ୍ରାମବାସୀଙ୍କଠାରୁ ସୂଚନା ପାଇ ପୋଲିସ ଉକ୍ତ ଡ୍ରୋନ୍‌କୁ ଜବତ କରିଥିବା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ସୂଚନା ଦେଇଛନ୍ତି। ଅନ୍ୟପଟେ ଆଇଓସିଏଲ୍‌ ପକ୍ଷରୁ ତୈଳ ପାଇପ୍‌ ଲାଇନ୍‌ ସର୍ଭେ କାର୍ଯ୍ୟରେ ଉକ୍ତ ଡ୍ରୋନ୍‌କୁ ବ୍ୟବହାର କରାଯାଉଥିବା ବିଶେଷସୂତ୍ରରୁ ଜଣାପଡ଼ିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହା ଖସି ପଡ଼ିଥିବା କୁହାଯାଉଛି।

Share