Categories: Uncategorized

ପନିରସେଲ୍‌ଭାମଙ୍କ ଭାଇ ଏଆଇଏଡିଏମ୍‌କେରୁ ବହିଷ୍କୃତ

ଚେନ୍ନାଇ,୬।୩: ଶଶିକଳାଙ୍କୁ ଭେଟିଥିବା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ. ପନିରସେଲ୍‌ଭାମଙ୍କ ଭାଇ ଓ. ରାଜାଙ୍କ ସମେତ ଥେନି ଜିଲାର ଅନ୍ୟ ୩ ଜଣ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଏଆଇଏଡିଏମ୍‌କେରୁ ବହିଷ୍କାର କରାଯାଇଛି। ବହିଷ୍କୃତ ହୋଇଥିବା ଅନ୍ୟ ୩ ନେତା ହେଲେ ଏସ୍‌. ମୁରୁଗେସାନ, ଭୈଗାଇ କୁରୁପୁଜି ଏବଂ ଏସ୍‌. ତେଥୁପଥି। ବହିଷ୍କୃତ ନେତାମାନଙ୍କ ସହ କୌଣସି ସମ୍ପର୍କ ନ ରଖିବାକୁ ପନିରସେଲ୍‌ଭାମ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଇ.କେ. ପଲାନିସ୍ବାମୀ ଦଳୀୟ କର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଓ. ରାଜା ନିଜ ପ୍ରତିକ୍ରିୟାରେ କହିଛନ୍ତି, ଦଳ ଶଶିକଳାଙ୍କ ଭଳି ନେତୃତ୍ୱ ଆବଶ୍ୟକ କରୁଛି। ମୋତେ ଦଳରୁ ବହିଷ୍କାର କରିବାକୁ ପନିରସେଲ୍‌ଭାମ ଏବଂ ପଲାନିସ୍ବାମୀ କିଏ ବୋଲି ରାଜା ପ୍ରଶ୍ନ କରିଛନ୍ତି। ସେ ଦଳର ପ୍ରତିଷ୍ଠାତା ଏମ୍‌.ଜି. ରାମଚନ୍ଦ୍ରନ୍‌ଙ୍କ ସମୟରୁ ଦଳରେ ସଦସ୍ୟ ଅଛନ୍ତି। ଶଶିକଳା ଦଳର ସାଧାରଣ ସମ୍ପାଦକ ରହିଛନ୍ତି। ଦଳରୁ ତାଙ୍କୁ ବହିଷ୍କାର କରାଯିବା ଅବୈଧ ବୋଲି ରାଜା ଗଣମାଧ୍ୟମକୁ କହିଛନ୍ତି।