ତାଲିବାନ୍‌ ଦଖଲରେ ପଞ୍ଜଶିର

କାବୁଲ, ୪।୯: ଆଫଗାନିସ୍ତାନରେ ସରକାର ଗଠନ କରିବାର କିଛି ଘଣ୍ଟା ପୂର୍ବରୁ ତାଲିବାନ ବାହିନୀ ଶୁକ୍ରବାର ରାତିରେ ପଞ୍ଜଶିର ଦଖଲ କରିଛି। ଏଥିସହିତ ଆଫଗାନିସ୍ତାନର ସମସ୍ତ ୩୪ ପ୍ରଦେଶ ଏବେ ତାଲିବାନ ନିୟନ୍ତ୍ରଣକୁ ଆସିଯାଇଛି। ଏହି ସଂଗଠନ ସମଗ୍ର ଦେଶକୁ ନିଜ ଦଖଲକୁ ନେଇଥିବାବେଳେ ପଞ୍ଜଶିର ଉପତ୍ୟକାକୁ ରେଜିଷ୍ଟାଣ୍ଟ ଫୋର୍ସ ଅକ୍ତିଆର କରି ରଖିଥିଲା। ଆଲ୍ଲାଙ୍କ କୃପାରୁ ଆମେ ସମଗ୍ର ଆଫଗାନିସ୍ତାନ ଦଖଲ କରିଛୁ। ବିରୋଧୀ ପରାଜିତ ହୋଇଛନ୍ତି ବୋଲି ଜନୈକ ତାଲିବାନ କମାଣ୍ଡର କହିଛନ୍ତି। କାବୁଲରେ ତାଲିବାନ ଲଢ଼ୁଆମାନେ ପଞ୍ଜଶିର ଦଖଲର ବିଜୟ ଉତ୍ସବ ମନାଉଥିବା ବେଳର ଦୃଶ୍ୟ ଦେଖିବାକୁ ମିଳିଛି। ଏନେଇ ଟୋଲୋ ନ୍ୟୁଜ୍‌ ଖବରଦାତା ଜିଆର ଖାନ୍‌ ୟାଦ୍‌ ମଧ୍ୟ ଟୁଇଟ୍‌ କରିଛନ୍ତି। ଅନ୍ୟପକ୍ଷରେ ବିରୋଧୀ ବାହିନୀର ନେତୃତ୍ୱ ନେଉଥିବା ପୂର୍ବତନ ଉପରାଷ୍ଟ୍ରପତି ଅମ୍‌ରୁଲ୍ଲା ସାଲେହ ଦେଶ ଛାଡ଼ି ପଳାଇଥିବା ଖବରକୁ ଅସ୍ବୀକାର କରିଛନ୍ତି। ସେ ଏଠାରେ ଅଛନ୍ତି ଓ ଦେଶ ମାତୃକାର ମର୍ଯ୍ୟାଦା ରକ୍ଷା ପାଇଁ ପ୍ରତିରୋଧ ଜାରି ରଖିବେ ବୋଲି କହିଛନ୍ତି। ପଞ୍ଜଶିର ପତନ ଖବରକୁ ସାଲେହଙ୍କ ପୁଅ ଏବାଦୁଲ୍ଲା ମଧ୍ୟ ଖଣ୍ଡନ କରିଛନ୍ତି। ଆଫଗାନିସ୍ତାନରୁ ଆମେରିକା ନେତୃତ୍ୱାଧୀନ ସୈନ୍ୟ ପ୍ରତ୍ୟାହୃତ ହେବା ପରେ ତାଲିବାନ ଗୋଟିଏ ପରେ ଗୋଟିଏ ସହର ଦଖଲ କରିଥିଲା। ଅଗଷ୍ଟ ୧୫ରେ ରାଜଧାନୀ କାବୁଲ ତାଲିବାନ ନିୟନ୍ତ୍ରଣକୁ ଯିବା ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଅଶ୍ରଫ୍‌ ଗନି ଦେଶ ଛାଡ଼ି ପଳାୟନ କରିଥିଲେ। କେବଳ ପଞ୍ଜଶିରକୁ ଛାଡ଼ିଲେ ସାରା ଦେଶ ତାଲିବାନ କବଳକୁ ଆସିଯାଇଥିଲା। ପଞ୍ଜଶିରରେ ମୁଜାହିଦ୍ଦିନ କମାଣ୍ଡର ଅହମଦ ଶାହ ମାସୁଦ୍‌ଙ୍କ ପୁଅ ଅହମଦ ମାସୁଦଙ୍କ ନେତୃତ୍ୱରେ ହଜାର ହଜାର ସ୍ଥାନୀୟ ମିଲିସିଆ ଏବଂ ପୂର୍ବ ସରକାରର ସଶସ୍ତ୍ର ବଳ ଏକାଠି ହୋଇ ତାଲିବାନ ବାହିନୀର ପ୍ରତିରୋଧ କରିଆସୁଥିଲେ। ଉଭୟ ପକ୍ଷ ମଧ୍ୟରେ ଘମାଘୋଟ ଲଢ଼େଇ ଜାରି ରହିଥିଲା। ଏହି ସଂଘର୍ଷରେ ବହୁ ତାଲିବାନ୍‌ ଫାଇଟର ନିହତ ହୋଇଥିବାବେଳେ ଆଉ କେତେଜଣଙ୍କୁ ପଞ୍ଜଶିର ବିଦ୍ରୋହୀ କାବୁ କରି ଜେଲରେ ଭରିଦେଇଛନ୍ତି। ମଝିରେ ଆପୋସ ଆଲୋଚନା ଜରିଆରେ ସମାଧାନ ପାଇଁ ଉଦ୍ୟମ ହୋଇଥିଲେ ହେଁ ସେଥିରୁ କିଛି ସୁଫଳ ମିଳି ନ ଥିଲା। ବିଫଳତା ପାଇଁ ଦୁଇପକ୍ଷ ପରସ୍ପରକୁ ଦୋଷ ଦେଇଥିଲେ।

Share