Categories: ଖେଳ

ପଙ୍କଜ ଆଡଭାନୀଙ୍କୁ ୨୬ତମ ବିଶ୍ୱ ବିଲିୟାଡର୍‌ସ ଟାଇଟଲ

ଦୋହା, ୨୨ା୧୧ (ପି.ଟି.): ଭାରତୀୟ କ୍ୟୁଇଷ୍ଟ ପଙ୍କଜ ଆଡଭାନୀ ଏଠାରେ ଚାଲିଥିବା ଆଇବିଏସ୍‌ଏଫ ଓ୍ବାଲର୍‌ଡ ବିଲିୟାଡର୍‌ସ ଚାମ୍ପିୟନଶିପ୍‌ ଟାଇଟଲ ହାସଲ କରିଛନ୍ତି। ଫାଇନାଲରେ ସେ ନିଜ ଦେଶର ସୌରଭ କୋଠାରୀଙ୍କୁ ୧୦୦୦-୪୧୬ ବ୍ୟବଧାନରେ ହରାଇ ଦେଇଛନ୍ତି। ଗତବର୍ଷ କୁଆଲାଲମ୍ପୁର ଟାଇଟଲ ମୁକାବିଲାର ଏହା ରିମ୍ୟାଚ ବୋଲି କୁହାଯାଉଛି। ଉଭୟ ବିଲିୟାଡର୍‌ସ ଓ ସ୍ନୁକରର ସମସ୍ତ ଫର୍ମାଟ ଆଧିପତ୍ୟ ବଜାୟ ରଖିବା ସହ ବିଶ୍ୱ ଟାଇଟଲ ଜିତିବାରେ ଆଡଭାନୀ ହେଉଛନ୍ତି ବିଶ୍ୱର ଏକମାତ୍ର ଖେଳାଳି। ୩-ବଲ୍‌ ଗେମ୍‌ରେ ଚମତ୍କାର ପ୍ରଦର୍ଶନ କରି ସେ ଭାରତକୁ ଶୀର୍ଷରେ ରଖିପାରିଛନ୍ତି। ଏଠାରେ ସେ ତାଙ୍କ ୨୬ତମ ବିଶ୍ୱ ଟାଇଟଲ ହାସଲ କରିଛନ୍ତି। ସୂଚନାଯୋଗ୍ୟ, ଆଡଭାନୀ ଏହି ପ୍ରତିଯୋଗିତାରେ ସେ ତାଙ୍କ ପ୍ରଥମ ବିଶ୍ୱ ଟାଇଟଲ ୨୦୦୫ରେ ହାସଲ କରିଥିଲେ। ଆଡଭାନୀ ୯ଥର ‘ଲଙ୍ଗ୍‌ ଫର୍ମାଟ’ ଜିତିଥିବା ବେଳେ ସେ ୮ଥର ପଏଣ୍ଟ ଫର୍ମାଟ ଚାମ୍ପିୟନ ହୋଇଛନ୍ତି। ଏହାଛଡ଼ା ସେ ଥରେ ଓ୍ବାଲର୍‌ଡ ଟିମ୍‌ ବିଲିୟାଡର୍‌ସ ଚାମ୍ପିୟନଶିପ୍‌ ବିଜେତା ହୋଇପାରିଛନ୍ତି। ଏହି ଟୁର୍ନାମେଣ୍ଟରେ ଆଡଭାନୀ ସେମିଫାଇନାଲରେ ନିଜ ଦେଶର କ୍ୟୁଇଷ୍ଟ ରୁପେଶ ଶାହାଙ୍କୁ ୯୦୦-୨୭୩ରେ ହରାଇ ଦେଇଥିଲେ।

Share