Categories: ଖେଳ

୧୪ ବର୍ଷର ଟେଷ୍ଟ କ୍ୟାରିୟରରେ ଏଭଳି କରିପାରି ନ ଥିଲେ ଧୋନୀ, ହେଲେ ପନ୍ତ କଲେ ରେକର୍ଡ

ଚେନ୍ନାଇ,୧୧।୨: ଭାରତୀୟ କ୍ରିକେଟ ଟିମ୍‌ ଅଷ୍ଟ୍ରେଲିଆରେ ସିରିଜ୍‌ ଜିତିବାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଉଇକେଟକିପର ରିଷଭ ପନ୍ତଙ୍କୁ ଏମ୍‌ଏସ୍‌ ଧୋନୀଙ୍କ ଉତ୍ତରାଧିକାରୀ ବୋଲି କୁହାଯାଉଛି। ବ୍ୟାଟିଂଠାରୁ ଆରମ୍ଭ କରି ଉଇକେଟ ପଛରେ ଭୂମିକାକୁ ସେ ବେଶ ଭଲ ଭାବେ ତୁଲାଉଛନ୍ତି। ଖୁବ୍‌ କମ୍‌ ଦିନର କ୍ୟାରିୟରରେ ସେ ଅନେକ ବଡ଼ ଉପଲବ୍ଧି ହାସଲ କରିସାରିଛନ୍ତି ଯାହା ଧୋନୀ ହାସଲ କରିପାରିନାହାନ୍ତି।

ବୁଧବାର ଇଂଲଣ୍ଡ ବିପକ୍ଷରେ ଚେନ୍ନାଇରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ପାଳିରେ ସେ ୯୧ ରନ୍‌ କରି ଦଳକୁ ମଜଭୂତ ସ୍ଥିତିକୁ ଆଣିବାକୁ ସହାୟକ ହୋଇଥିଲେ। ପରେ ଦ୍ୱିତୀୟ ପାଳିରେ ସେ ମାତ୍ରୁ ୧୧ ରନ୍‌ କରି ଆଉଟ୍‌ ହୋଇଥିଲେ। ହେଲେ ପ୍ରଥମ ପାଳିରେ ଅର୍ଦ୍ଧଶତକକୁ ନେଇ ସେ ଆଇସିସି ଟେଷ୍ଟ ର଼୍ୟାକିଂରେ ୭୦୩ ପଏଣ୍ଟ ସହ ୧୩ତମ ସ୍ଥାନକୁ ପହଞ୍ଚିଛନ୍ତି। ଏଯାବତ ଏହା ତାଙ୍କର ସର୍ବଶ୍ରେଷ୍ଠ ର଼୍ୟାକିଂ ବୋଲି କୁହାଯାଉଛି। ନିଜର ଉପଲବ୍ଧିକୁ ନେଇ ସେ ଭାରତର ପ୍ରଥମ ଫୁଲଟାଇମ୍‌ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ହୋଇଛନ୍ତି। ନିଜର ୧୭ତମ ଟେଷ୍ଟରେ ପନ୍ତ ଏହି ସଫଳତା ପାଇଛନ୍ତି।

ଅପରପକ୍ଷେ ଧୋନୀ ହ୍ବାଇଟ୍‌ ବଲ୍‌ କ୍ରିକେଟରେ ୯୦ ଟେଷ୍ଟର ୧୪୪ ପାଳିରେ ୪୮୭୬ରନ୍‌ କରିଛନ୍ତି। ଏଥିରେ ୬ ଶତକ ଏବଂ ୩୩ ଅର୍ଦ୍ଧଶତକ ରହିଛି। ନିଜର କ୍ୟାରିୟରରେ ସେ ଟେଷ୍ଟ ର଼୍ୟାକିଂରେ ୨୦ତମ ସ୍ଥାନ ପର୍ଯ୍ୟନ୍ତ ପହଞ୍ଚିପାରିଥିଲେ। ନଭେମ୍ବର ୨୦୧୩ରେ ସେ ଏହା ହାସଲ କରିଛନ୍ତି। ସେ ଟେଷ୍ଟ କ୍ୟାରିୟରରେ ସର୍ବାଧିକ ୬୬୨ ପଏଣ୍ଟ ହାସଲ କରିପାରିଥିଲେ। ଏବେ ପନ୍ତ ତାଙ୍କୁ କାଟି ନୂଆ ରେକର୍ଡ କରିଛନ୍ତି।

Share