Categories: ଖେଳ

ସହାୟତାର ହାତ ବଢ଼ାଇଲେ ପନ୍ତ

ନୂଆଦିଲ୍ଲୀ, ୯ା୫ (ପି.ଟି.)- କୋଭିଡ୍‌ ବିରୋଧରେ ଚାଲିଥିବା ଲଢେଇରେ ସାମିଲ ହୋଇଛନ୍ତି ଭାରତର ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ। ସଂକ୍ରମିତ ରୋଗୀଙ୍କୁ ଶଯ୍ୟା ସହ ଅକ୍ସିଜେନ ସିଲିଣ୍ଡର ଓ କିଟ୍‌ ଯୋଗାଣ କ୍ଷେତ୍ରରେ ବ୍ୟୟ କରିବା ଲାଗି ଅର୍ଥ ଦାନ କରିଛନ୍ତି। ସେ କିନ୍ତୁ ଏହାର ପରିମାଣ ସମ୍ପର୍କରେ କୌଣସି ସୂଚନା ଦେଇନାହାନ୍ତି। ୨୩ବର୍ଷୀୟ ପନ୍ତ ଗୁରୁଗ୍ରାମସ୍ଥିତ ହେମ୍‌କୁଣ୍ଟ ଫାଉଣ୍ଡେଶନ ନାମକ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନକୁ ଏହି ଅର୍ଥ ପ୍ରଦାନ କରିଛନ୍ତି। ଏହି ଅବସରରେ କରୋନା ସଂକ୍ରମିତ ଲୋକମାନଙ୍କ ଲାଗି ଅହରହ କାର୍ଯ୍ୟକରି ଆସୁଥିବା ଦେଶର ଫ୍ରଣ୍ଟଲାଇନ୍‌ ଓ୍ବାର୍କରଙ୍କୁ ସାଲ୍ୟୁଟ କରିଛନ୍ତି। ଏଥିସହ ଅନ୍ୟମାନଙ୍କୁ ସହାୟତାର ହାତ ବଢାଇବା ଲାଗି ସେ ଅନୁରୋଧ କରିଛନ୍ତି। ଭାରତରେ ଦେଖା ଦେଇଥିବା ଏହି ଅଭୂତପୂର୍ବ ସ୍ବାସ୍ଥ୍ୟ ସଂକଟ ବିରୋଧ ଲଢେଇ ପାଇଁ ବିରାଟ କୋହଲି, ଶିଖର ଧାଓ୍ବନ, ଜୟଦେବ ଉନାଡକଟ, ହାର୍ଦ୍ଦିକ ପାଣ୍ଡ୍ୟା ଓ ପ୍ୟାଟ କୁମିନ ଆର୍ଥିକ ସହାୟତା ପ୍ରଦାନ କରିସାରିଛନ୍ତି।